ରିଲିଜ୍ ହେବା ପୂର୍ବରୁ ବାରମ୍ବାର ବିବାଦରେ ଛନ୍ଦି ହୋଇଥିଲା କଙ୍ଗନା ରାଣାୱତଙ୍କ ଫିଲ୍ମ ‘ଏମରଜେନ୍ସି’ । ଯେଉଁ କାରଣରୁ ଫିଲ୍ମ ରିଲିଜ୍ ହେବାର ତାରିଖ ଅନେକ ଥର ମଧ୍ୟ ଘୁଞ୍ଚିଛି । କଙ୍ଗନା ରଣାୱତଙ୍କ ଏହି ପଲିଟିକାଲ ଡ୍ରାମା ଫିଲ୍ମ ‘ଏମରଜେନ୍ସି’କୁ ଦର୍ଶକମାନେ ମଧ୍ୟ ବହୁତ ଉତକଣ୍ଠାର ସହ ଅପେକ୍ଷା କରିଥିଲେ । କିନ୍ତୁ ଫିଲ୍ମ ହଲରେ ଦର୍ଶକମାନଙ୍କ ମନ କିଣି ପାରିନି ଫିଲ୍ମ ‘ଏମରଜେନ୍ସି’ । ପ୍ରଥମ ଦିନରୁ ହିଁ ବକ୍ସ ଅଫିସରେ ମାନ୍ଦା ଅବସ୍ଥାରେ ଚାଲିଛି । ଦ୍ୱିତୀୟ ଦିନରେ ଫିଲ୍ମର ଆୟରେ ସାମାନ୍ୟ ବୃଦ୍ଧି ହୋଇଥିଲେ ମଧ୍ୟ ତାହା କିନ୍ତୁ ନିରାଶାଜନକ ।
ଜାନୁଆରୀ 17 ତାରିଖରେ ରିଲିଜ ହୋଇଥିଲା ଫିଲ୍ମ ‘ଏମରଜେନ୍ସି’ । ପ୍ରଥମ ଦିନରେ ଏହି ଫିଲ୍ମ ବକ୍ସ ଅଫିସରେ 2.50 କୋଟି ରୋଜଗାର କରିଥିଲା । ଯାହାପରେ ପ୍ରଥମ ଦିନ ତୁଳନାରେ ଦ୍ୱିତୀୟ ଦିନରେ ଫିଲ୍ମଟି ଟିକେ ଭଲ ବ୍ୟବସାୟ କରିଥିଲା। ହେଲେ ତାହା ଥିଲା ନିରାଶଜନକ । ଦ୍ୱିତୀୟ ଦିନରେ ଏହି ଫିଲ୍ମ 3.50 କୋଟି ସଂଗ୍ରହ କରିଥିଲା । ଆଉ ଯଦି ଏହି ଫିଲ୍ମର ସଂମ୍ପୂର୍ଣ୍ଣ ଦୁଇ ଦିନରେ ରୋଜଗାରକୁ ଦେଖିବା ତାହା ହେଉଛି ମାତ୍ର 6 କୋଟି ରହିଛି ।
ରିପୋର୍ଟ ଅନୁଯାୟୀ, ‘ଏମରଜେନ୍ସି’ ବିଷୟରେ କହିବାକୁ ଗଲେ ଫିଲ୍ମର ବଜେଟ୍ ପ୍ରାୟ ପ୍ରାୟ 60 କୋଟି ବୋଲି କୁହାଯାଉଛି । ବକ୍ସ ଅଫିସରେ ଫିଲ୍ମଟି ଯେଉଁ ମାନ୍ଦା ଗତିରେ ଚାଲିଛି ତାହାକୁ ଦେଖି ଲାଗୁଛି ନିଜର ବଜେଟ୍ ବାହାର କରିବା ମଧ୍ୟ ଅସମ୍ଭବ ହୋଇପଡିବ ଫିଲ୍ମ ନିର୍ମାତା କଙ୍ଗନାଙ୍କ ପକ୍ଷରେ ।
କଙ୍ଗନା ‘ଏମରଜେନ୍ସି’ରେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିବା ସହିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏଥିରେ ସେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିଛନ୍ତି । କଙ୍ଗନାଙ୍କ ବ୍ୟତୀତ ଅନୁପମ ଖେର, ଶ୍ରେୟସ ତଲପଡେ, ମହିମା ଚୌଧୁରୀ, ମିଲିନ୍ଦ ସୋମନ ମଧ୍ୟ ଏହି ଫିଲ୍ମରେ ନଜର ଆସିଛନ୍ତି । ଏହି ଫିଲ୍ମରେ କଙ୍ଗନା ରାଜନୈତିକ ଇତିହାସର ସେହି ବିବାଦୀୟ ଘଟଣାକୁ ଦେଖାଇଛନ୍ତି, ଯେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ । ତଥାପି ଚଳଚିତ୍ରଟି ଦର୍ଶକମାନଙ୍କ ମିନ କଣିବାରେ ଏତେ ସକ୍ଷମ ହୋଇପାରିନି ।