ପୁଣି ଡରାଇଲାଣି କରୋନା : ନୂଆ ଗାଇଡ଼ଲାଇନ୍ ଜାରି କରିପାରନ୍ତି କେନ୍ଦ୍ର ସରକାର

0

ଭୁୁବନେଶ୍ୱର: ପୁଣି ଡରାଇଲାଣି କରୋନା । ଲୋକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଆଗୁଆ ପଦକ୍ଷେପ ନେଲେ କେନ୍ଦ୍ର ଓ ରାଜ୍ୟ ସରକାର । ଏନେଇ ନୂଆ ଗାଇଡଲାଇନ ଜାରି କରିପାରନ୍ତି ଉଭୟ ସରକାର । ସେପଟେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । କରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହ ଏଥିପାଇଁ କିଭଳି ସତର୍କ ରହିବାକୁ ପଡ଼ିବ ସେନେଇ ଆଲୋଚନା ହୋଇପାରେ । କୋଭିଡ଼ ସ୍ଥିତି ନେଇ ହେବାକୁ ଥିବା ଏହି ପ୍ରସ୍ତୁତି ବୈଠକ ଅପରାହ୍ନ ୩ଟାରେ ହେବା ନେଇ ସୂଚନା ମିଳିଛି ।ଏହି ବୈଠକରେ କରୋନା ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରି ନୂଆ ଗାଇଡ଼ଲାଇନ୍ ଜାରି କରିପାରନ୍ତି କେନ୍ଦ୍ର ସରକାର । ଗତକାଲି ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକ କରି ସ୍ଥିତି ସମୀକ୍ଷା କରିଥିଲେ ।

ବୈଠକ ପରେ ଦେଶବାସୀଙ୍କୁ ମାସ୍କ ପିନ୍ଧିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କୋଭିଡ ନିୟମ ପାଳନ କରିବାକୁ ସେ କହିଛନ୍ତି । ତେଣୁ ନୂଆବର୍ଷ ସମୟରେ କୋଭିଡ କଟକଣା ଲାଗୁ ହେବାର ଆଶଙ୍କା କରାଯାଉଛି । ସୂଚନା ମୁତାବକ, ଦେଶ ତୁଳନାରେ ଓଡ଼ିଶାରେ ସଫଳ ଟିକାକରଣ ହୋଇଛି । ପ୍ରଥମ ଓ ଦ୍ବିତୀୟ ଡୋଜ ଟିକାକରଣ ପ୍ରାୟ ଶତ ପ୍ରତିଶତ ସରିଛି । ତୃତୀୟ ଡୋଜ ଟିକାକରଣ ୪୧ ପ୍ରତିଶତ ହୋଇଥିବା ବେଳେ ଅବଶିଷ୍ଟ ଲୋକଙ୍କୁ ତୁରନ୍ତ ଟିକା ଦେବାକୁ ଗୁରୁତ୍ବ ଦିଆଯାଇଛି । ସେପଟେ ତୃତୀୟ ଡୋଜ ଟିକାକରଣକୁ ୬ ମାସ ବିତିଥିବାରୁ ରାଜ୍ୟରେ ଚତୁର୍ଥ ଡୋଜ୍ ଟିକାକରଣ ଆରମ୍ଭ କରିବାକୁ ଯୋଜନା କରୁଛି ସ୍ବାସ୍ଥ୍ୟ ବିଭାଗ ।