(ନୂଆଦିଲ୍ଲୀ): ଆସନ୍ତା କିଛି ସପ୍ତାହ ମଧ୍ୟରେ କୋଭିଡ ଟିକାକୁ ଜରୁରୀକାଳୀନ ବ୍ୟବହାର ଲାଗି ମିଳିପାରେ ଅନୁମତି । ସିରମ୍ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ ଏଥି ପାଇଁ ଆବେଦନ କରିଛନ୍ତି । ସେହିପରି ଫାଇଜର ଇଣ୍ଡିଆ ମଧ୍ୟ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଲାଗି ଆବେଦନ କରିଛି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଟୀକା ଉତ୍ପାଦନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପ୍ରତ୍ୟେକ ବ୍ୟକ୍ତିଙ୍କୁ ଖୁବ ସମୟ ମଧ୍ୟରେ କରୋନା ଟୀକା ଯୋଗାଇବା ପାଇଁ ଏବେ ପ୍ରସ୍ତୁତି ଚାଲିଛି । ସେରମ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କରିଥିବା ‘କୋଭାସିଲ୍ଡ’ ଏବଂ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା ‘କୋଭାକ୍ସିନ’ର ଜରୁରୀ ବ୍ୟବହାର ଲାଗି ଆବେଦନକୁ ବିଚାର କରାଯାଉଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଭାରତରେ ୬ଟି ସମ୍ଭାବ୍ୟ ଟିକା କ୍ଲିନିକାଲ୍ ପରୀକ୍ଷା ପର୍ୟ୍ୟାୟରେ ଅଛି। ସ୍ୱାସ୍ଥ୍ୟ ସଚିବ ଆହୁରି କହିଛନ୍ତି ଯେ, ଦେଶରେ କରୋନା ଭୁତାଣୁ ନିରୋଧୀ ଟିକା ପରିଚାଳନା ପାଇଁ ଚଳିତ ବର୍ଷ ଅଗଷ୍ଟରେ ଏକ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ ଗଠନ କରାଯାଇଥିଲା। ଏହି ବିଶେଷଜ୍ଞ ଦଳ ଜନସଂଖ୍ୟା ଗୋଷ୍ଠୀର ପ୍ରାଥମିକତା, ଟିକା କ୍ରୟ ଏବଂ ଭଣ୍ଡାର ପରିଚାଳନା, ଟିକା ଚୟନ, ଟିକା ବିତରଣ ଏବଂ ଟ୍ରାକିଂ ପ୍ରଣାଳୀ ଉପରେ ମାର୍ଗଦର୍ଶନ ପ୍ରଦାନ କରୁଛନ୍ତି।