ହିଞ୍ଜିଳି/ ରଜନୀକାନ୍ତ ପାତ୍ର – ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଘୋଡାହାଡ଼ ଜଳ ଭଣ୍ଡାରରେ କୁମ୍ଭୀର ଗଣନା କାର୍ୟ୍ୟ ଶେଷ ହୋଇଛି। ଲଗାତାର ୩ ଦିନ ଧରି ଏହି କୁମ୍ଭୀର ଗଣନା କାର୍ୟ୍ୟ ଜାରି ରହିଥିଲା। ଏଥିରେ ୩୩ ଜଣ ବନ ବିଭାଗ କର୍ମଚାରୀଙ୍କୁ ବିଭିନ୍ନ ସେଗମେଣ୍ଟରେ ବିଭାଜିତ କରାଯାଇ ନିୟୋଜିତ କରାଯାଇଥିଲା। ଘୋଡାହାଡ଼ ଜଳ ଭଣ୍ଡାର ସମେତ ଆଖ ପାଖ ୧୦ ଟି ଜଳାଶୟ ବା ପୋଖରୀରେ ଗଣନା କାର୍ୟ୍ୟ ଚାଲିଥିଲା। ଗଣନା କାର୍ୟ୍ୟ ଶେଷ ହେବା ପରେ ମୋଟ ୭୨ ଟି କୁମ୍ଭୀର ଥିବା ବ୍ରହ୍ମପୁର ଡିଏଫଓ ଅମ୍ଳାନ ନାୟକ ସୂଚନା ଦେଇଛନ୍ତି। ଗଣନାରେ ୩ ଜଣ ରେଞ୍ଜରଙ୍କୁ ମଧ୍ୟ ନିୟୋଜିତ କରାଯାଇଥିବା ସେ କହିଛନ୍ତି। ଏଥିସହ ଜଳ ଭଣ୍ଡାରରେ ମଗର ପ୍ରଜାତି ବା ଗୋ ମୁହାଁ କୁମ୍ଭୀର ବାସ କରି ଆସୁଥିବା ଦିଗପହଣ୍ଡି ରେଞ୍ଜର କହିଛନ୍ତି। କୁମ୍ଭୀର ସଂଖ୍ୟାରେ କ୍ରମାଗତ ବୃଦ୍ଧି ପାଉଥିବା ବେଳେ ଜଳ ଭଣ୍ଡାରରେ ୨୦୧୯ ବର୍ଷ ୫୮ ଟି ଥିବାବେଳେ ୨୦୨୦ ବର୍ଷରେ ୬୫ଟି ଏବଂ ୨୦୨୧ରେ ଜଳ ଭଣ୍ଡାରରେ ୫୩ ଏବଂ ଆଖ ପାଖ ଜଳାଶୟ ବା ପୋଖରୀ ରେ ୧୯ଟି ରହିଥିବା ବେଳେ ଏହି ବର୍ଷ ଅଧିକ ସଂଖ୍ୟା ଠାବ କରାଯାଇଛି। ତେବେ ସରକାର ଘୋଡାହାଡ଼ ଜଳାଶୟକୁ ଦକ୍ଷିଣ ଓଡ଼ିଶାର କୁମ୍ଭୀରଙ୍କ ବାସସ୍ଥଳୀ ଓ ପ୍ରଜଜନ କେନ୍ଦ୍ର କରିଥିଲେ ଭଲ ହୁଅନ୍ତା ବୋଲି ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି।