ପାଟନା: ବିବାହ ବେଦୀରେ ଦଶ ଦିଗପାଳଙ୍କୁ ସାକ୍ଷୀ ରଖି ନେଇଥିଲେ ଶପଥ । ସାତ ଜନ୍ମ ପାଇଁ ସାଥୀ ହୋଇ ରହିବେ । ଆଉ ଏହି ପ୍ରତିଜ୍ଞାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ବିହାର ପୂର୍ବ ଚମ୍ପାରନର ଖଗନୀ ଗାଁର ବ୍ରଜକିଶୋର ପାସଓ୍ୱାନ୍ ଓ କାଜନ କୁମାରୀ । ଉଭୟ ବିବାହ ବନ୍ଧନରେ ବାନ୍ଧି ହେବାର ମାତ୍ର ୬ ମାସପରେ ସେମାନଙ୍କର ଝୁଲନ୍ତା ମୃତଦେହ ଜବତ କରିଛି ପୋଲିସ । ଏହି ଘଟରା ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ବିହାର ପୂର୍ବ ଚମ୍ପାରନର ଖଗନୀ ଗାଁର ବ୍ରଜକିଶୋର ଏବଂ କାଜନ କୁମାରୀ ୬ ମାସ ତଳେ ପ୍ରେମ କରି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କିନ୍ତୁ ଗତକାଲି ଜଣେ ମହିଳା ପଡୋଶୀ ତାଙ୍କ ଘରକୁ ଯାଇ ଯାହା ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଘର ଭିତରେ ଉଭୟ ଦମ୍ପତ୍ତିଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ଗୋଟିଏ ଓଢଣୀରେ ଦୁଇ ଜଣଙ୍କ ମୃତଦେହ ଝୁଲୁୁଥିବାର ଦେଖି ଚିତ୍କାର କରିଥିଲେ ମହିଳା । ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିବା ସହ ଚିକିତ୍ସା ପାଇଁ ଡାକ୍ତରଙ୍କ ସହ ଯୋଗାଯୋଗ କରିଥିଲେ । କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଏହା ପାରିବାରିକ କାରଣରୁ ହୋଇଥିବା ସନ୍ଦେହ କରାଯାଉଛି । ଏଥିସହ ଉଭୟଙ୍କର ମୋବାଇଲ ଘଟଣାସ୍ଥଳରୁ ଗାଏବ ଥିବା ଜଣାଯାଇଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ କୌଣସି ସ୍ପଷ୍ଟ ହୋଇନାହିଁ । ପୋଲିସ ଏ ନେଇ ଖୋଳତାଡ କରିବା ପରେ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ ।