ଧୋକା ମିଳିବାରୁ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ, ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର

0

ସେମିଳିଗୁଡ଼ା: ପାର୍ଟନରସିପ ବ୍ୟବସାୟରୁ ଧୋକା ମିଳିବା ପରେ ଜୀବନ ହାରିବାକୁ ଉଦ୍ୟମ କଲେ ସମ୍ପତି । ଠକାମୀ ଓ ଋଣ ଭାର ପରିଶୋଧ କରିନପାରି ଶେଷରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଦମ୍ପତି । ଏହି ଘଟଣାରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସ୍ତ୍ରୀ । ମୃତ୍ୟୁ ପୂର୍ବରୁ ଠକାମୀର ପୂରା କାହାଣୀ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ଦମ୍ପତି । ଆଉ ଭିଡିଓରେ ବିଜେନେସ ପାର୍ଟନରକୁ ଦାୟୀ କରିଛନ୍ତି ଦମ୍ପତି । ସେମିଳିଗୁଡ଼ା ବ୍ଲକର ପିତାଗୁଡ଼ା ନିକଟ କୋଲାବ ଡ୍ୟାମକୁ ଡ଼େଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥଲେ ଉଭୟ ସ୍ୱାମୀ ରାଜେନ୍ଦ୍ର ପଟ୍ଟନାୟକ ଓ ସ୍ତ୍ରୀ ଶିବାନୀ ମହାନ୍ତି । ସେମିଳିଗୁଡ଼ା ଅଗ୍ନିଶମ ବିଭାଗ ରାଜେନ୍ଦ୍ରଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲରେ ଭର୍ତି କରିଛି ।
ମିଳିଥିବା ସୂଚନା ଅନୁସାରେ ୬ ମାସ ତଳେ ଏମାନଙ୍କ ବାହାଘର ହୋଇଥିବା ବେଳେ ଉଭୟ ଦମ୍ପତି ରାଜେନ୍ଦ୍ର ଓ ଶିବାନୀ ଜୟପୁର ସହରର ଜଣେ ଯୁବକ ସହ ମିଶି ଏସକେ ଅଟୋମୋବାଇଲ ନାଁରେ ସେକେଣ୍ଡ ହ୍ୟାଣ୍ଡ କାର କିଣା ବିକା ଏକ ସୋରୁମ କରିଥିଲେ । ହେଲେ ଏହି ଗାଡ଼ି କିଣା ବିକାରେ ଅନେକ ଲୋକଙ୍କୁ ଠକିବା ଅଭିଯୋଗ ଆସିବା ପରେ, ପୋଲିସ କିଛି ଦିନ ତଳେ ରାଜେନ୍ଦ୍ରକୁ ଅଟକ ରଖିଥିଲା । ଗୋଟିଏ ବର୍ଷରେ ଏମାନେ ୬୦ ରୁ ୮୦ ଲକ୍ଷ ଟଙ୍କା ଲୋକଙ୍କୁ ଠକିଥିବା ନିଜେ ସ୍ୱୀକାର କରିଛନ୍ତି । ଏଥିରେ ଉଭୟ ଦମ୍ପତି ନିଜ ପାର୍ଟନରକୁ ଦାୟୀ କରିଛନ୍ତି । ଏହାର ପାଲଟା ଜବାବ ରଖିଛନ୍ତି ପାର୍ଟନର ଥିବା ଏନ କାର୍ତିକ । ଏଥି ପାଇଁ ରଜେନ୍ଦ୍ର ଓ ତାଙ୍କ ପତ୍ନୀ ଦାୟୀ ବୋଲି ସେ କହିଛନ୍ତି ତେବେ ଏନେଇ ପୁଲିସର କୌଣସି ପ୍ରତିକ୍ରିୟା ମିଳିପାରିନଥିବା ବେଳେ ବାସ୍ତବରେ କିଏ ଦୋଷୀ ସେ ନେଇ ପୁଲିସ ତଦନ୍ତ ଜାରି ରଖିଥିବା ଜଣାପଡିଛି ।