ମହାରାଷ୍ଟ୍ରର ବିରୋଧୀ ମେଣ୍ଟ ମହା ବିକାଶ ଅଘାଡି(ଏମଭିଏ)ରେ ସବୁ କିଛି ଠିକ ଠାକ ନାହିଁ। କଂଗ୍ରେସ, ଉଦ୍ଧବ ଠାକରେଙ୍କ ଶିବସେନା ଓ ଶରଦ ପାୱାରଙ୍କ ଏନସିପିକୁ ନେଇ ଗଠିତ ଏମଭିଏରେ ବର୍ତ୍ତମାନ ଫାଟ ସୃଷ୍ଟି ହୋଇଛି। ଏନସିପି ପ୍ରତିଷ୍ଠାତା ଶରଦ ପାୱାର ସମସ୍ତଙ୍କୁ ଚକିତ କରି ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ପ୍ରଶଂସା କରିଛନ୍ତି। ସିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିବା ବେଳେ ଭଲ କାମ କରିଥିବା ଶରଦ ପାୱାର କହିଛନ୍ତି। ଯାହାପରେ ଏବେ ରାଜନୀତି ଜୋର ଧରିଛି ।
ଶରଦ ପାୱାରଙ୍କ ଏପରି ପ୍ରଶଂସାକୁ ସହଜରେ ଗ୍ରହଣ କରିପାରି ନାହିଁ ସହଯୋଗୀ ଶିବସେନା(ୟୁବିଟି)। କାରଣ ଉଦ୍ଧବ ଠାକରେଙ୍କ ଠାରୁ ଅଲଗା ହୋଇ ସିନ୍ଦେ ବିଜେପି ସହ ହାତ ମିଳାଇଥିଲେ। ଉଦ୍ଧବ ସବୁବେଳେ ଶିବସେନା ଭାଙ୍ଗିବା ପଛରେ ସିନ୍ଦେ ରହିଥିବା କହୁଥିଲେ ହେଁ ଶରଦ ପାୱାରଙ୍କ ଏପରି ପ୍ରଶଂସା ନୂଆ ରାଜନୀତିକ ସମୀକରଣକୁ ଚର୍ଚ୍ଚା ଦେଇଛି।