ଭୁବନେଶ୍ୱର: ରାଜଧାନୀରେ ୨୦୨୦ରେ ଅପରାଧ ସଂଖ୍ୟା ପୂର୍ବ ବର୍ଷ ତୁଳନାରେ କମ ରହିଛି । ହତ୍ୟା, ଲୁଟ, ଘରୋଇ ହିଂସା, ସଂଖ୍ୟା ବୃଦ୍ଧି ପାଇଥିଲେ ମଧ୍ୟ ରାଜଧାନୀରେ ଦୁଷ୍କର୍ମ ମାମଲା କମ ରହିଛି । ତେବେ ରାଜଧାନୀର ୬ଟି ଥାନା ଅଞ୍ଚଳରେ ଅପରାଧ ସଂଖ୍ୟାରେ ବୃଦ୍ଧି ଦେଖାବାକୁ ମିଳିଛି । ଏହି ୪ଟି ଥାନା ଅଧୀନରେ ୨୦୧୯ ବର୍ଷ ତୁଳନାରେ ଅଧିକ ମାମଲା ରୁଜୁ ହୋଇଛି ।
ଖଣ୍ଡଗିରି ଥାନାରେ ୨୦୧୯ରେ ୭୬୦ଟି ମାମଲା ଥିବା ବେଳେ ୨୦୨୦ରେ ଏହା ୭୯୪ ରହିଛି । ସେହିପରି ତମାଣ୍ଡୋ ଥାନାରେ ୨୦୧୯ରେ ୩୩୯ଟି ମାମଲା ରୁଜୁ ହୋଇଥିଲା କିନ୍ତୁ ୨୦୨୦ରେ ଏହି ସଂଖ୍ୟା ୩୫୨କୁ ବୃଦ୍ଧି ପାଇଛି । ଏୟାରଫିଲ୍ଡ ଥାନାରେ ୨୦୧୯ରେ୨୫୦ଟି ମାମଲା ବଢି ୨୦୨୦ରେ ୨୫୪ ହୋଇଛି । ଏୟାରପୋର୍ଟ ଥାନାରେ ୨୦୧୯ରେ ୨୫୨ଟି ୨୦୨୦ ନଭେମ୍ବର ସୁଦ୍ଧା ୨୫୩ ମାମଲା ହୋଇଛି ।
୨୦୨୦ରେ ଲୁଟ, ଘରୋଇ ହିଂସା, ବୈବାହିକ ବିଶୃଙ୍ଖଳା ୨୦୨୦ରେ ଅଧିକ ରହିଛି । ଲକଡାଉନ ପାଇଁ ଲୁଟ ପରିମାଣ ବୃଦ୍ଧି ପାଇଛି । ଗୋଟିଏ ପଟେ କର୍ମସଂସ୍ଥାନ ହରାଇ ବେକାର ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢିଥିଲା । ତେଣୁ ଲୁଟ ମାତ୍ରା ବୃଦ୍ଧିପାଇଛି । ତେବେ ଲକଡାଉନ ପାଇଁ ଲୋକଙ୍କ ଆତଯାତ ନଥିବାରୁ ଲୁଟରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ଠାବ କରିବାରେ ପୁଲିସକୁ ସହଯୋଗ ମିଳିନଥିବାରୁ ଲୁଟ ଘଟଣାରେ ପୁଲିସ ସଫଳତା ହାସଲ କରି ପାରି ନାହିଁ । କମିଶନରେଟ ପୁଲିସ ଅଧୀନରେ ଭୁବନେଶ୍ୱରର ୨୧ ଥାନାରେ ପୂର୍ବ ବର୍ଷ ଅପେକ୍ଷା ଅପରାଧ ବୃଦ୍ଧି ପାଇଛି । ୨୦୧୯ରେ ରାଜଧାନୀରେ ୩୯ଟି ହତ୍ୟା ହୋଇଥିବା ବେଳେ ୨୦୨୦ରେ ଏହା ୪୦ ରହିଛି । ୨୦୧୯ରେ ୨୬୬ ଲୁଟ ହୋଇଥିବା ବେଳେ ୨୦୨୦ରେ ଏହି ସଂଖ୍ୟା ୩୩୦ ରହିଛି । ତେବେ ଦୁଷ୍କର୍ମ ମାମଲାରେ ହ୍ରାସ ପାଇଛି । ୨୦୨୦ରେ ୧୬ ଜଣଙ୍କ ବିରୋଧରେ ଏନଏସଏ ଲାଗୁ ହୋଇଛି ।