ସୋନପୁର(ଓମପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ସହରରେ ଥିବା ମଝିପଡାର ସିଆରପିଏଫ ଯବାନ ପ୍ରତାପ କୁମାର ନାଏକ ନାଗାଲାଣ୍ଡରୁ ନିଜ ଘରକୁ ଫେରୁଥିବା ବେଳେ ରାସ୍ତାରେ କେହି ତାଙ୍କୁ ହତ୍ୟାକରି ଫୋପାଡ଼ି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପ୍ରତାପ ସିଆରପିଏଫର ୮୨ ବାଟାଲିଆନରେ ନାଗାଲାଣ୍ଡରେ କାର୍ୟ୍ୟ କରୁଥିଲେ । ଘରକୁ ଫେରିବା ପାଇଁ ସେ ଗତ ୧ ତାରିଖ ରାତିରେ ବାମାପୁର ଷ୍ଟେସନରୁ ଟ୍ରେନରେ ଆସୁଥିଲେ, କିନ୍ତୁ ଆଜି ପର୍ୟ୍ୟନ୍ତ ସେ ଘରକୁ ଫେରି ନାହାନ୍ତି । ତେଣୁ ପରିବାର ଲୋକେ ସନ୍ଦେହ କରି ଭୁବନେଶ୍ୱର ସିଆରପିଏଫ କାର୍ୟ୍ୟାଳୟକୁ ଖବର ଦେଇଥିଲେ । ୯୩ କିଲୋମିଟର ଦୂର ଆସାମର ଲମଟିଙ୍ଗ ଷ୍ଟେସନ ନିକଟରେ ୨ ତାରିଖ ଦିନ ପ୍ରତାପଙ୍କ ମରଶରୀର ମିଳିଥିବା ନେଇ ଆଜି ତାଙ୍କ ପରିବାର ଲୋକଙ୍କୁ ରେଳ ବିଭାଗ କଣ୍ଟ୍ରୋଲ ରୁମରୁ ଖବର ଦିଆଯାଇଛି । ପ୍ରତାପ ସାଙ୍ଗରେ ଆଣିଥିବା କିଛି ବ୍ୟାଗ ବାଙ୍ଗାଲୁରୁ ଷ୍ଟେସନରୁ ଜିଆରପିକୁ ମିଳିଥିବା ବେଳେ ତାଙ୍କ ମୋବାଇଲ ମଧ୍ୟ ୨ ତାରିଖ ପରଠାରୁ ବନ୍ଦ ରହିଥିବା ପରିବାର ଲୋକେ କହିଛନ୍ତି। ତେଣୁ ପ୍ରତାପଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟାକରି ଲମଟିଙ୍ଗ ଷ୍ଟେସନ ନିକଟରେ ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।