ନୂଆଦିଲ୍ଲୀ-: ଦେଶକୁ ସୁରକ୍ଷା ଦେବେ ପାଇଁ ପିନ୍ଧିଥିଲେ ବର୍ଦ୍ଦି କିନ୍ତୁ ଦେଶକୁ ସୁରକ୍ଷା ଦେବେ କଣ ଦେଶର ଗୁପ୍ତ ତଥ୍ୟ ଶତ୍ରୁ ଦେଶକୁ ଦେବାରେ ଲାଗିପଡ଼ିଥିଲେ ଯବାନ । ପାକିସ୍ତାନୀ ଗୁଇନ୍ଦା ଅଧିକାରୀଙ୍କ ସହ ସମ୍ବେଦନଶୀଳ ସୂଚନା ବାଣ୍ଟିବା ଅଭିଯୋଗରେ ଜାତୀୟ ତଦନ୍ତ ସଂସ୍ଥା (NIA) ଦିଲ୍ଲୀରୁ ଜଣେ ସିଆରପିଏଫ ଯବାନ ମୋତି ରାମ ଜାଟଙ୍କୁ ଗିରଫ କରିଛି । ତଦନ୍ତରୁ ଜଣାପଡିଛି ଯେ ସେ ୨୦୨୩ ମସିହାରୁ ଏହି କାମ କରୁଥିଲେ ଏବଂ ପାକିସ୍ତାନୀ ଗୁଇନ୍ଦା ଅଧିକାରୀଙ୍କଠାରୁ ଟଙ୍କା ପାଉଥିଲେ। ଗିରଫ ପରେ ପଟିଆଲା ହାଉସ କୋର୍ଟ ଅଭିଯୁକ୍ତଙ୍କୁ ଜୁନ୍ ୬ ପର୍ଯ୍ୟନ୍ତ ରିମାଣ୍ଡରେ ପଠାଇଛନ୍ତି ।
ଅପରେସନ ସିନ୍ଦୂର ପରେ, ଦେଶରୁ ଅନେକ ଗୁପ୍ତଚର ଧରାପଡ଼ିଛନ୍ତି । ଜ୍ୟୋତି ମାଲହୋତ୍ରା ନବାଙ୍କୁର ଚୌଧୁରୀ ଭଳି ୟୁଟ୍ୟୁବରଙ୍କୁ ମଧ୍ୟ ଗୁପ୍ତଚର ଅଭିଯୋଗରେ ଗିରଫ କରାଯାଇଥିବା ବେଳେ ଏବେ ଗୁପ୍ତଚରୀ କାମ କରିବା ଅଭିଯୋଗରେ ଜଣେ ଯବାନ ଗିରଫ ହୋଇଛନ୍ତି । ତଦନ୍ତ ସମୟରେ, ଏନଆଇଏ ଜାଣିବାକୁ ପାଇଲା ଯେ ଅଭିଯୁକ୍ତ ଗତ ୨ ବର୍ଷ ଧରି ଗୁଇନ୍ଦାଗିରି କାର୍ଯ୍ୟ କରୁଥିଲେ । ସୋସିଆଲ ମିଡିଆ ଜରିଆରେ ପାକିସ୍ତାନ ଇଣ୍ଟେଲିଜେନ୍ସୀ ଓପରେଟିଭ ସଂପର୍କରେ ରହିଥିଲେ ଆଉ ସୋସିଆଲ ମିଡିଆ ଜରିଆରେ ଦେଶ ସହିତ ଜଡିତ ଗୁପ୍ତ ସୂଚନା ପଠାଉଥିଲେ । ସୂଚନା ବଦଳରେ ପୁଳାପୁଳା ଟଙ୍କା ମଧ୍ୟ ପାଉଥିଲେ । ଗିରଫ ହେବା ପରେ ସିଆରପିଏଫ ନିୟମ ଅନୁଯାୟୀ ଯବାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।