ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଉଲୁଣ୍ଡା ବ୍ଲକର ହିକୁଡି ଗ୍ରାମରେ ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ପକ୍ଷରୁ ବ୍ଲକ ସ୍ତରୀୟ ପଏଁରୀ ତିହାର ଧୁମାଧାମରେ ପାଳନ କରାଯାଇଛି । ଉଲୁଣ୍ଡା ବ୍ଲକ କଳା ସଂସ୍କୃତି ସଂଘର ଉପ-ସଭାପତି ଶ୍ରୀ ଶ୍ୟାମ ସୁନ୍ଦର ସୁନାଙ୍କ ସଭାପତିତ୍ୱରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସଭା ଅନୁଷ୍ଠିତ ହୋଇଥିଲା ହିକୁଡିଠାରେ । ଗାଁ ଗାଁରେ ଲୁଚି ଯାଉଥିବା ଲୋକକଳା ଓ କଳାକାର ମାନଙ୍କୁ ଲୋକଲୋଚନକୁ ଆଣିବା ଏବଂ ସେମାନଙ୍କୁ ପଏଁରୀ ତିହାର (ପାରମ୍ପରିକ ଲୋକନୃତ୍ୟ ଓ ସଂଗୀତ ଉତ୍ସବ) ମଂଚରେ ସ୍ଥାନ ଦେଇ ତାଙ୍କର କଳା ପରିବେଷଣ କରି ଉତ୍ସାହିତ କରିବା ହେଉଛି ଏହି ତିହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ଅନୁଷ୍ଠାନର ସଂପାଦକ ତଥା ଲୋକକଳା ଗବେଷକ, ନୃତ୍ୟ ନିର୍ଦ୍ଦେଶକ ଶ୍ରୀ ଚୌଧୁରୀ ବିଭାର ସୂଚନା ପ୍ରଦାନ କରିଥିଲେ । ଏହି ସଭାରେ ମୁଖ୍ୟ ଅତିଥି ଶ୍ରୀ ହରିହର କର୍ଣ୍ଣ, ପୂର୍ବତନ ସରପଞ୍ଚ, ସଭାପତି ଶ୍ରୀ ଲଡୁକିଶୋର ମଲ୍ଲିକ, ଶ୍ରୀମତୀ ରଂଜିତା ଭୋଇ, ପୂର୍ବତନ ସରପଞ୍ଚ, ଦଣ୍ଡରତ୍ନ ବିପିନ ଜାଲ, ଶ୍ରୀମତୀବାସନ୍ତୀ ମହାନନ୍ଦ, ଆମ୍ବେଦକର ସେବା ସଭ୍ୟ, ଉପ ସଭାପତି ଶ୍ରୀ ପ୍ରଫୁଲ୍ଲ ନାଏକ, ସହ-ସଂପାଦକ ପୃଥୁରାଜ ବାଗ, କାର୍ଯ୍ୟକାରୀ ସଭ୍ୟ ସୌମ୍ୟରଞ୍ଜନ ସେଠି, ବରିଷ୍ଟ ସଦସ୍ୟ ଗୋପାଳ ମେହେର ଉପସ୍ଥିତ ଥିଲେ । ଅନୁଷ୍ଠାନର ତରଫରୁ ଶ୍ରୀ ଶ୍ୟାମ ସୁନ୍ଦର ସୁନାଙ୍କୁ “ପଏଁରି କଳା ସମ୍ମାନ” ରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଅତିଥୁ ମାନଙ୍କ ଦ୍ବାର ପଏଁରୀ ତିହାର ପୋଷ୍ଟର ଉନ୍ମୋଚନ କରାଯାଇଥିଲା । ଏହି ତିହାରରେ ବ୍ଲକ ର ଶତାଧିକ କଳାକାର ସାମିଲ ହେଇ ହଜି ଯାଇଥିବା କଳା ଶୋଳ ସୁଆଙ୍ଗ ଦଣ୍ଡ ନୃତ୍ୟ, ସଂଚାର, ସଂମ୍ପ୍ରଦା, ଖଜନୀ, କରମସାନି, ପ୍ରଭାନୃତ୍ୟ, ନଚନିଆଁ, ଶବର ଶବରନି, ପତର ସଉରା, ଝୁମେର, ରାସରକେଳି, କୀର୍ତନ ନୃତ୍ୟ ଆଦି ସୁନ୍ଦର ଭାବରେ ପରିବେଷଣ କରିଥିଲେ । ପ୍ରଥମେ ବିକେଏସଏସ ର ଉପ-ସଭାପତି ଶ୍ରୀ ସୁନା ସ୍ବାଗତ ଭାଷଣ ଦେଇଥିବା ବେଳେ ସହ ସଂପାଦକ ପୃଥୁରାଜ ବାଗ ଧନ୍ୟବାଦ୍ ଅର୍ପଣ କରିଥିଲେ । ଅନୁଷ୍ଠାନ ର ଅମିତ ସାହୁ, ଶଙ୍କର ମେହେର, ଭୂଷଣ ଦେହୁରୀ, ବୈରାଗୀ ବାଘ ସହଯୋଗ କରିଥିଲେ । ତିହାରରେ ଶତାଧିକ ଦର୍ଶକ ଉପସ୍ଥିତ ରହି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ଭରପୁର ମଜା ନେଇଥିଲେ ।