(ଜୟନ୍ତ କୁମାର ସେଠୀ/ପୁରୀ): ଜାତୀୟ ସଡକ ସୁରକ୍ଷା ମାସ-୨୦୨୧ ପାଳନ ଆଜି ଠାରୁ ଆରମ୍ଭ ହୋଇଛି । ଏହା ଫେବୃୟାରୀ ୧୭ ତାରିଖ ପର୍ୟ୍ୟନ୍ତ ଚାଲିବ । ଏହି ଅବସରରେ ଜିଲ୍ଲାପାଳ ସମର୍ଥ ବର୍ମା ଗୁଣ୍ତିଚା ମନ୍ଦିର ଠାରୁ ଏକ ସାଇକେଲ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ଏଥିରେ ସେ ନିଜେ ମଧ୍ୟ ସାମିଲ ହୋଇଥିଲେ । ଏଥିସହ ସଡକ ସୁରକ୍ଷା ରଥର ମଧ୍ୟ ଜିଲ୍ଲାପାଳ ଶୁଭାରମ୍ଭ କରିଛନ୍ତି । ଏହି ରଥ ଜିଲ୍ଲାର ବିଭିନ୍ନ ବ୍ଲକ ବୁଲିବା ସହ ସଡକ ସୁରକ୍ଷା ବାର୍ତ୍ତା ପ୍ରଦାନ କରିବ । ଟ୍ରାଫିକ ନୀୟମ ପାଳନ ସହ ସୁରକ୍ଷିତ ଗାଡି ଚାଳନା ଉପରେ ଜିଲ୍ଲାପାଳ ଓ ଅତିଥି ମାନେ ଗୁରୁତ୍ବ ଦେଇଥିଲେ । ଏହା ବ୍ୟତୀତ ସଚେତନତା ସୃଷ୍ଟି ନିମନ୍ତେ ବିଭିନ୍ନ ବ୍ଲକରେ ସାଇକେଲ ଶୋଭାଯାତ୍ରାର ମଧ୍ୟ ଆୟୋଜନ କରାଯାଇଛି ।
ଆସନ୍ତା ୨୧ ରୁ ୨୩ ତାରିଖ ପର୍ୟ୍ୟନ୍ତ ସଡକ ସୁରକ୍ଷା ଉପରେ ଆଞ୍ଚଳିକ ପରିବହନ କାର୍ୟ୍ୟାଳୟରେ ସକାଳ ୮ ରୁ ସନ୍ଧ୍ୟା ୫ ଘଟିକା ପର୍ୟ୍ୟନ୍ତ ୱାଲ ପେଣ୍ଟି ପ୍ରତିଯୋଗିତା ଆୟୋଜନ କରାଯାଇଛି । ସଡକ ସୁରକ୍ଷା ଉପରେ ହୋଡିଂ ଲଗାଯିବା ସହ ୧୦ ହଜାର ପ୍ରଚାରପତ୍ର ବଣ୍ଟାଯାଇ ସଚେତନତା ସୃଷ୍ଟି କରାଯିବ । ଚକ୍ରତୀର୍ଥ ରୋଡରୁ ନେତାଜୀ ଛକ ପର୍ୟ୍ୟନ୍ତ ୨୦ଟି ସଡକ ସଚେତନାତା କିଓସ୍କ ପ୍ରଦର୍ଶିତ କରାଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ନିତିରଞ୍ଜନ ସେନ, ଆଞ୍ଚଳିକ ପରିବହନ ଅଧିକାରୀ ସମୀର କୁମାର ଦଳାଇ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୁଣ କୁମାର ଜେନା, ସହାୟକ ମୋଟରଯାନ ନିରୀକ୍ଷକ ବାମଦେବ ସାହୁ, ଟ୍ରାଫିକ ଇନିସପେକ୍ଟର ଗୋକୁଳାନନ୍ଦ ଦାସ, କଲେଜ ଛାତ୍ରଛାତ୍ରୀ, ସ୍ବେଚ୍ଛାସେବୀ ଓ ବିଭିନ୍ନ ସଂଘର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।