(ରିପୋର୍ଟସ ଟୁଡେ/ ଭୁବନେଶ୍ୱର ) : ଯଦି ସମସ୍ତେ ଯାନବାହନର ବ୍ୟବହାରକୁ ତ୍ୟାଗ କରି ପୁଣିଥରେ ଫେରିଯିବେ ସାଇକେଲକୁ ତେବେ ଅନେକାଂଶରେ ପ୍ରଦୂଷଣ ସମସ୍ୟାର ସମାଧାନ ହୋଇପାରିବ। ଏହି କଥାକୁ ହୃଦୟଙ୍ଗମ କରିଛନ୍ତି ନେଦରଲାଣ୍ଡବାସୀ। ଆଉ ଗମନାଗମନର ସାଥୀ ଭାବେ ବାଛି ନେଇଛନ୍ତି ସାଇକେଲ୍କୁ। ଏମିତି କି ଏଠାକାର ସରକାର ବି ସାଇକେଲ ଚାଳନାକୁ ପ୍ରୋତ୍ସାହନ କରିବା ଲାଗି ଚାଳକଙ୍କୁ ଟଙ୍କା ଦେଉଛନ୍ତି। ଏଠାରେ ଅଧିକାଂଶ ଲୋକ ଅଫିସ୍ ଯିବା ଲାଗି ବାଇକ୍ କିମ୍ବା କାର୍ ବ୍ୟବହାର ନ କରି ବ୍ୟବହାର କରୁଛନ୍ତି ସାଇକେଲ। ଏକ ଅଧ୍ୟୟନ କହୁଛି ଏଠାରେ ସାଇକେଲର ସଂଖ୍ୟା ଲୋକଙ୍କ ସଂଖ୍ୟାଠାରୁ ଅଧିକ। ଏଠାରେ ସାଇକେଲ ଚଳାଇ ଅଫିସ୍ ଯାଉଥିବା ଲୋକଙ୍କୁ ସରକାର ବିନା ଟ୍ୟାକ୍ସରେ କି.ମି. ପିଛି ୧୬ ଟଙ୍କା ପ୍ରଦାନ କରୁଛି। ଆଉ ଏହି ରାଶି ଚାକିରି କରୁଥିବା କମ୍ପାନୀ ପ୍ରଦାନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି॥ ତେବେ ବ୍ୟକ୍ତିଗତ କାର୍ୟ୍ୟ ପାଇଁ ସାଇକେଲ ଚଳାଇବା ସମୟରେ କୌଣସି ଅର୍ଥ ପ୍ରଦାନ ହୁଏ ନାହିଁ। ଏଠାରେ ସାଇକେଲ ପାର୍କିଂ, ତା’ର ସୁରକ୍ଷା ପାଇଁ ମଧ୍ୟ ଭଲ ବ୍ୟବସ୍ଥା କରାଯାଇଛି। ନେଦରଲାଣ୍ଡ ସରକାର କମ୍ପାନୀଗୁଡିକୁ କଡା ନିର୍ଦ୍ଦେଶ ଦେଇଛନ୍ତି, ଯେମିତି କି ନିୟମର ଠିକ୍ଭାବେ ପାଳନ ହେବ। ଏଭଳି ଯୋଜନା ଏବେ ୟୁନାଇଟେଡ କିଙ୍ଗଡମ୍ରେ ବି ଚାଲିଛି। ‘ସାଇକେଲ ଟୁ ଓ୍ବାର୍କ’ ଯୋଜନା ଅନୁଯାୟୀ କର୍ମଚାରୀଙ୍କୁ ସାଇକେଲ ଚଳାଇଲେ ସାଇକେଲ କିଣା ଓ ତା’ର ଇକ୍ୟୁପମେଣ୍ଟ କିଣିବା ପାଇଁ ଡିସ୍କାଉଣ୍ଟ ପ୍ରଦାନ କରାଯାଉଛି। ଜୈବ ଇନ୍ଧନର ବ୍ୟବହାର କମାଇ ସାଇକେଲ ଚଳାଇବାକୁ ପ୍ରୋତ୍ସାହନ କରିବା ଲାଗି ଏହିଭଳି ଟ୍ୟାକ୍ସ ରହିତ ସାଇକେଲ କିଣିବାର ସ୍କିମ୍ ବେଲ୍ଜିୟମ୍ ସହିତ ୟୁରୋପ ଦେଶଗୁଡିକରେ ବି ଲାଗୁହେଇଛି। ଭାରତ ସରକାର ବି ଇ-ସାଇକେଲ ବ୍ୟବସ୍ଥା କରିଛନ୍ତି। ଯଦି ସବୁ ସ୍ଥାନରେ କଡାକଡିଭାବେ ଏହି ନିୟମ ଲାଗୁ ହୋଇ ପାରିବ ତେବେ ପ୍ରଦୂଷଣ ଯେ ନିଶ୍ଚିତଭାବେ କମିଯିବ ଏଥିରେ ସନ୍ଦେହ ନାହିଁ।