ଉପକୂଳରେ ବର୍ଷିବ ଅସାନି ; ଘଣ୍ଟା ପ୍ରତି ବହିବ ୪୦ରୁ ୫୦ କିମି ବେଗର ପବନ

0

ଭୁବନେଶ୍ୱର : ସମୂଦ୍ରରେ ପ୍ରଳୟ ରଚୁଛି ବାତ୍ୟା । ପୁରୀଠାରୁ ଏହି ସାମୁଦ୍ରିକ ଝଡ ୫୫୦ରୁ ୫୮୮ କିଲୋମିଟର ଦୂରରେ ରହିଛି । ଏଣୁ ଗୋପାଳପୁର ବନ୍ଦର ପାଇଁ ୩ ନଂ ବିପଦ ସଂକେତ ଜାରି କରାଯାଇଛି । ସେହିପରି ପୁରୀ, ଚାନ୍ଦବାଲି/ଧାମରା, ପାରାଦୀପ ପାଇଁ ୨ ନଂ ବିପଦ ସଂକେତ ଜାରି କରାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ଏହା ଉତ୍ତର ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳରେ ପହଞ୍ଚିବା ପରେ ରିକର୍ଭ କରି ଉତ୍ତର- ଉତ୍ତର-ପୂର୍ବ ଦିଗରେ ଗତି କରିବ । ଏହା ଅତିକ୍ରମ କରିବା ସମୟରେ ପ୍ରବଳ ବର୍ଷା ହେବ । ଏହା ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଝଟକା ପବନ ଘଣ୍ଟାପ୍ରତି ୬୦ କିଲୋମିଟର ପର୍ୟ୍ୟନ୍ତ ଯାଇପାରେ ।ସ୍ଥଳଭାଗ ନ ଛୁଇଁଲେ ବି କୂଳେକୂଳେ ଓଡ଼ିଶା ଅତିକ୍ରମ କରିବ ଘୂର୍ଣ୍ଣିଝଡ଼ ।

୧୨ତାରିଖ ପର୍ୟ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି । ବାତ୍ୟା ଅସାନି ପାଇଁ ଗଞ୍ଜାମରେ ସମୁଦ୍ର ଉପକୂଳ ଯିବା ବାରଣ କରାଯାଇଛି । ଗୋପାଳପୁର ସମେତ ଅନ୍ୟ ସମୁଦ୍ର ଉପକୂଳ ଯିବାକୁ ଜିଲ୍ଲାପାଳଙ୍କ ବାରଣ । ଆଜି ଗଞ୍ଜାମ, ଗଜପତି ଓ ପୁରୀର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଆସନ୍ତାକାଲି ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୧୨ ତାରିଖ ଦିନ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏସବୁ ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଉତ୍ତର ଉପକୂଳର ଅଳ୍ପ କିଛି ସ୍ଥାନରେ ହାଲୁକାର ମଧ୍ୟମ ଧରଣର ବର୍ଷା ହୋଇପାରେ। ଆଜି ଓ ଆସନ୍ତାକାଲି ସମୁଦ୍ର ଉପକୂଳକୁ ନ ଯିବାକୁ ନିର୍ଦ୍ଦେଶ । ବିଇଏମସି ପକ୍ଷରୁ ହେଲପଲାଇନ ନଂ ମଧ୍ୟ ଜାରି କରାଯାଇଛି । ହେଲପଲାଇନ ନଂ ହେଉଛି -୭୩୨୬୮୩୭୩୨୯ ।