୯ ତାରିଖରେ ବାତ୍ୟା ସମ୍ଭାବନା,ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା

0

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସମ୍ଭାବନା । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ୬ତାରିଖରେ ଘୂର୍ଣ୍ଣିବଳୟ ହେବ। ୭ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ୮ତାରିଖରେ ଏହା ଘନୀଭୂତ ହୋଇ ଅବପାତର ରୂପ ନେଇପାରେ। ଏହାପରେ ଅବପାତ ଉତ୍ତର ଦିଗକୁ ଗତି କରିବା ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ୯ତାରିଖ ବେଳକୁ ବାତ୍ୟା ରୂପ ନେଇପାରେ। ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହାର ତୀବ୍ରତା, ଗତିପଥ ସଂପର୍କରେ ଜଣାପଡିବ ବୋଲି ପାଣିପାଗ ବିଭାଗ କହିଛି। ୭ତାରିଖ ପରଠୁ ସମୁଦ୍ର ଅଶାନ୍ତ ରହିବା ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ। ତେଣୁ ମତ୍ସ୍ୟଜୀବୀଙ୍କୁ ୭ତାରିଖ ପରଠୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଆଡକୁ ନଯିବାକୁ ପରାମର୍ଶ ଦିଆଯାଇଛି। ଗ୍ରୀଷ୍ମକାଳିନ ବାତ୍ୟା ଆକସ୍ମିକ ହୋଇଥିବାରୁ, ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଆଗୁଆ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ରାଜ୍ୟ ସରକାର । ସମସ୍ତ ବିଭାଗର ସଚିବମାନଙ୍କ ସହ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକ କରି ଗ୍ରୀଷ୍ମ ଋତୁ ବାତ୍ୟାର ଗତି ନେଇ ଆଲୋଚନା କରିଛନ୍ତି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଓଡିଆରଏଫ୍, ଏନଡିଆରଏଫ୍ ସହ ଜରୁରୀକାଳୀନ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।