(ସଂଜୁକ୍ତା ବେହେରା): ସ୍ଥଳଭାଗ ଛୁଇଁବା ପରେ ତାଣ୍ଡବ ରଚୁଛି ତିତଲି । ଓଡିଶାର ଗଞ୍ଜାମ ଓ ଗଜପତିରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଥିବା ବେଳେ ଆନ୍ଧ୍ରରେ ଭୟଙ୍କର ରୂପ ଧାରଣ କରିଛି ତିତଲି । ଏହାର ପ୍ରଭାବରେ ଆନ୍ଧ୍ରରେ ପ୍ରବଳ ବର୍ଷା ସହ ପବନ ମଧ୍ୟ ଜୋରରେ ବହୁଛି । ଆନ୍ଧ୍ରପ୍ରଦେଶା ଶ୍ରୀକାକୁଲମ ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନରେ ଶହ ଶହ ଘର ଭାଙ୍ଗିବା ସହ ବିଜୁଳି ଖୁଣ୍ଟ ଗୁଡିକ ଭାଙ୍ଗି ପଡିଛି । ତିତଲି ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ଶ୍ରୀକାକୁଲମ ଓ ବିଜୟନଗରମରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାଛଡା ରାସ୍ତାରେ ଗଛ ଗୁଡିକ ଭାଙ୍ଗି ପଡିବା ଫଳରେ ଯାତାୟତ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ଏପରିକି ଆନ୍ଧ୍ରର କିଛି ଷ୍ଟେସନ ଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଟ୍ରାକରେ ଗଛ ଗୁଡିକ ଭାଙ୍ଗି ପଡିଥିବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ତେବେ ତିତଲି ଏବେ ପଶ୍ଚିମବଙ୍ଗ ମୁହାଁ ହୋଇଛି । ଯାହାଫଳରେ ପଶ୍ଚିମବଙ୍ଗରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ଆରମ୍ଭ ହୋଇଛି । ତିତଲି ବାତ୍ୟାର କ୍ଷୟକ୍ଷତିକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତିତଲି ବାତ୍ୟା ଯୋଗୁଁ ଓଡିଶା ଓ ଆନ୍ଧ୍ର ପ୍ରଦେଶର ପ୍ରଭାବିତ ପରିବାର ବିଶେଷକରି ପିଲାମାନଙ୍କ ପ୍ରତି ମୁଁ ସମ୍ବେଦନା ଜ୍ଞାପନ କରୁଛି ।