ଆସୁଛି ‘ୟଶ୍’ : ୨୪ରେ ନେବ ବାତ୍ୟାର ରୂପ

0

ଭୁବନେଶ୍ୱର : ଆସୁଛି ବାତ୍ୟା ୟଶ୍ । ସମ୍ଭାବ୍ୟ ବାତ୍ୟା ‘ୟଶ୍’ କେତେ ଶକ୍ତିଶାଳୀ ରହିବ କି ରୂପ ନେବ, କିଭଳି ପ୍ରକୋପ ଦେଖାଇବ, ଜଣାନାହିଁ । ହେଲେ ବିଭିନ୍ନ ମଡେଲର ପ୍ରାକ୍‌ ଆକଳନ କହୁଛି, ଏହା ବାତ୍ୟା ରୂପ ନେବା ପରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ହିଁ ମୁହାଁଇବ ।

ଉତ୍ତର ପୂର୍ବ ଓଡ଼ିଶା ଉପକୂଳ କିମ୍ବା ପଶ୍ଚିମବଙ୍ଗ ଉପକୂଳର କୌଣସି ସ୍ଥାନରେ ସ୍ଥଳଭାଗ ଛୁଇଁପାରେ । ଏପରିକି ଭଦ୍ରକ, ବାଲେଶ୍ୱରରୁ ଦୀଘା ପାଖାପାଖି ସ୍ଥଳଭାଗ ଅତିକ୍ରମ କରିପାରେ । ସ୍ଥଳଭାଗ ଛୁଇଁବା ସମୟ ଓ ସ୍ଥାନ ନିର୍ଦ୍ଦିଷ୍ଟ ନେଇ ଏବେ କହି ହେବନି । ତଥାପି ବର୍ତ୍ତମାନ ସୁଦ୍ଧା ଆକଳନରୁ ଜଣାପଡ଼ିଛି, ଉପକୂଳ ଓଡ଼ିଶାରେ ବେଶ୍‌ ପ୍ରଭାବ ପକାଇବା ସମ୍ଭାବନା ଅଛି । ବିଶେଷ କରି ଉତ୍ତର ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପବନ ଆଶଙ୍କା ରହିଛି ।୨୫ ତାରିଖ ସନ୍ଧ୍ୟାରୁ ହିଁ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ । ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ସମସ୍ତ ଜିଲ୍ଲାପାଳ ଓ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) କହିଛି, ଆସନ୍ତା ୨୨ ତାରିଖବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ଅଛି । ଘନୀଭୂତ ହୋଇ ୨୪ ତାରିଖକୁ ବାତ୍ୟା ‘ୟଶ୍’ ରୂପ ନେବ । ଯାହାକି ଉତ୍ତର ପଶ୍ଚିମ ଦିଗରେ ମୁହାଁଇ ୨୬ ତାରିଖ ସକାଳେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବ ।

ଆଇଏମ୍‌ଡି ରିଜିଓନାଲ ସ୍ପେଶାଲାଇଜଡ ମେଟ୍ରୋଲୋଜିକାଲ ସେଣ୍ଟର ତଥା ସାଇକ୍ଲୋନ ପୂର୍ବାନୁମାନ ବିଭାଗ ମୁଖ୍ୟ ଆର୍‌.କେ.ଜେନାମଣି କହିଛନ୍ତି, ବାତ୍ୟା ରୂପ ନେବା ପରେ ପ୍ରାୟ ଦୁଇଦିନ ଏହା ସମୁଦ୍ର ଭିତରେ ରହିବ । ତେଣୁ ଅଧିକ ଘନୀଭୂତ ହେବ । ହେଲେ ଭୀଷଣ ବାତ୍ୟା (ସିଭିୟର ସାଇକ୍ଲୋନ୍‌) କିମ୍ବା ଅତି ଭୀଷଣ ବାତ୍ୟା (ଭେରି ସିଭିୟର ସାଇକ୍ଲୋନ) ରୂପ ନେବ, ଏବେ କହି ହେବନି । ୨୨ ତାରିଖ ପରେ ଅଧିକ ସ୍ପଷ୍ଟ ଚିତ୍ର ମିଳିବ ।

ଆସନ୍ତା ୨୫ ତାରିଖ ସନ୍ଧ୍ୟାରୁ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ତଥା ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିପାରେ । ପବନର ଝଟ୍‌କା ୬୦ କିମି ଛୁଇଁପାରେ । ୨୬ ତାରିଖବେଳକୁ ପବନ ଆହୁରି ଶକ୍ତିଶାଳୀ ହୋଇଯିବ । ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଗଭୀର ସମୁଦ୍ର ଭିତରକୁ ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜୀବୀମାନେ ୨୩ ତାରିଖ ସୁଦ୍ଧା ଉପକୂଳକୁ ଫେରି ଆସିବା ପାଇଁ ପରାମର୍ଶ ଦିଆଯାଇଛି ।