ବସ୍ତା (ଅଜିତ୍ ସାହୁ) : ପୁଣି ସାମ୍ନାକୁ ଆସିଲା ନବ ଜାତ ଶିଶୁ ବିକ୍ରି ଘଟଣା। ତେବେ ଅଭାବ କିମ୍ବା ପେଟର ଭୋକ ପାଇଁ ଶିଶୁ ପୁତ୍ରକୁ ବିକ୍ରି ହୋଇ ନାହିଁ। ନୂଆ ବାଇକ୍ ଚଢ଼ିବାର ସଉକ ପାଇଁ ୬୦ ହଜାର ଟଙ୍କା ରେ ନବଜାତ ଶିଶୁପୁତ୍ରକୁ ଅନ୍ୟକୁ ବିକ୍ରି କରିଦେଇଛି ଖୁଦ ବାପା। ଏମିତି ଏକ ଅଭାବନୀୟ ଘଟଣା ଘଟିଯାଇଛି ବସ୍ତା ଥାନା ଅଧୀନସ୍ଥ ନଟାକଟା ପଞ୍ଚାୟତ ଅନ୍ତର୍ଗତ ହଦମୌଦ ଗ୍ରାମରେ। ପ୍ରାପ୍ତ ସୂଚନା ମୁତାବକ ଅନୁଯାଇ ଉକ୍ତ ଗ୍ରାମର ଶାନ୍ତି ବେହେରା ଆଜକୁ ତିନି ବର୍ଷ ପୂର୍ବେ ମୟୁରଭଂଜ ଜିଲା ରାସଗୋବିନ୍ଦପୁର ବ୍ଲକ୍ ଅନ୍ତର୍ଗତ ପୋଡ଼ାପୋଡ଼ା ଗ୍ରାମର ଧର୍ମୁ ବେହେରାଙ୍କୁ ଦ୍ବିତୀୟ ବିବାହ କରିଥିଲେ। ପୂର୍ବରୁ ଶାନ୍ତିଙ୍କର ଏକ ଶିଶୁପୁତ୍ରଟିଏ ଥିବା ବେଳେ , ପରେ ଧର୍ମୁଙ୍କୁ ଔରଶ ରୁ ଅନ୍ୟ ଏକ ପୁତ୍ର ସନ୍ତାନ ରହିଛି । ତେବେ ଗତ ୧୯ ତାରିଖ ରେ ଶାନ୍ତି ଙ୍କର ପୁଣି ଏକ ପୁତ୍ର ସନ୍ତାନ ପ୍ରସବ ହୋଇଥିଲା । ୨୨ ତାରିଖ ମେଡିକାଲ ରୁ ଡ଼ିସଚ୍ଚାର୍ଜ ହେବାପରେ ଗ୍ରାମର ଦୁଇ ଯୁବକଙ୍କ ଯୋଗାଯୋଗ କ୍ରମେ ଉଦଳା ଉପଖଣ୍ଡ ଅଧୀନସ୍ଥ ସାଇଁକୁଳା ପଞ୍ଚାୟତ ଅନ୍ତର୍ଗତ ମାଣିଚ ଗ୍ରାମର ଜନୈକ ନିଃସନ୍ତାନ ଦମ୍ପତିଙ୍କୁ ୬୦ ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ। ପରେ ଉକ୍ତ ଟଙ୍କାରେ ସେହିଦିନ ଏକ ନୂଆ ବାଇକଟିଏ କିଣି ଧର୍ମୁ ନିଜ ଗାଁରେ ବୁଲାବୁଲି କରିଥିଲେ। ତେବେ ଆର୍ଥିକ ଅଭାବ ଅନାଟନ ମଧ୍ୟରେ ଗତିକରୁଥିବା ଧର୍ମୁ ଅଚାନକ, ନୂଆ ବାଇକ୍ ଚଢିବା ସାଧାରଣରେ ସନ୍ଦେହ ସୃଷ୍ଟି ହେବା ସହିତ ପିଲା ବିକ୍ରି କଥା ପ୍ରଘଟ ହୋଇଥିଲା। ଖବର ପାଇ ଗଣମାଧ୍ୟମ ପ୍ରତିନିଧି ଶାନ୍ତିଙ୍କ ଘରେ ପହଞ୍ଚିଥିଲା। ଗ୍ରାମବାସୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ଧର୍ମୁ ଘଟଣାକୁ ସ୍ବୀକାର କରିବା ସହ ପୁତ୍ର ସନ୍ତାନ ଥିବାରୁ କନ୍ୟା ସନ୍ତାନ ଚାହୁଁ ଥିଲେ । ତେଣୁ ନୂତନ ବାଇକ୍ ପାଇଁ ଟଙ୍କାର ଆବଶ୍ଯକତା ଥିବାରୁ ସେ ଏପରି କରିଥିବା ସ୍ବୀକାର କରିଥିଲେ। ଏନେଇ କୌଣସି ଅଭିଯୋଗ ହୋଇନଥିବା ଜଣା ପଡ଼ିଛି।