ସୁକିନ୍ଦା ଖଣି ଅଞ୍ଚଳରେ ଡାନିଙ୍କ ଅରାଜକତା

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଯାଜପୁର ଜିଲ୍ଲାର ସୁକିନ୍ଦାରେ ବିଭିନ୍ନ ଖଣି ସଂସ୍ଥା କାମ କରୁଥିବା ବେଳେ ଟାଟା ଷ୍ଟିଲ ହେଉଛି ଏକ ଅଗ୍ରଣୀ ଅନୁଷ୍ଠାନ । କିନ୍ତୁ ଏହି ଅଗ୍ରଣୀ ଅନୁଷ୍ଠାନ ଏବେ ସ୍ଥାନୀୟ ବିଧାୟକଙ୍କ ହାତର ଖେଳନା ପାଲଟିଛି । ବିଧାୟକଙ୍କ ଇଙ୍ଗିତରେ ଟାଟା ଷ୍ଟିଲ ପରିଚାଳିତ ହେଉଥିବା ବେଳେ ବିଧାୟକଙ୍କ ଖାସ କୁହାଯାଉଥିବା ଟାଟା ଷ୍ଟିଲର ଜନୈକ କଣ୍ଟ୍ରାକ୍ଟର ଜେ ଏସ ଅଟୱାଲା ଏଠାରେ ଚଳାଇଛନ୍ତି ମନମୁଖୀ ଶାସନ । ଏଥିରେ ଅତିଷ୍ଠ ହୋଇଗଲେଣି ସଂସ୍ଥାର କର୍ମଚାରୀ । ନା ମିଳୁଛି ରିତିମତ ଦରମା, ନାହିଁ ବୋନସ । ହାଡ ଭଙ୍ଗା ପରିଶ୍ରମ ପରେ କିନ୍ତୁ ମିଳୁଛି ପ୍ରତାରଣା । ଏହାକୁ ନେଇ ଏବେ ସୁକିନ୍ଦାରେ ଦେଖାଦେଇଛି ଶ୍ରମିକ ଅଶାନ୍ତି ।
ସୁକିନ୍ଦା କହିଲେ ପୂର୍ବରୁ ପ୍ରଫୁଲ୍ଲ ଘଡେଇଙ୍କୁ ବୁଝାଯାଉଥିଲା । ଏକଦା ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟତର ବୋଲି ମଧ୍ୟ ଗଣାଯାଉଥିଲା । କିନ୍ତୁ ୨୦୧୪ ନିର୍ବାଚନରେ ଘଡେଇଙ୍କୁ ଟିକେଟ ଦିଆ ନ ଯାଇ ତାଙ୍କ ପୁଅ ପ୍ରିତିରଞ୍ଜନ ଘଡେଇ ଓରଫ ଡାନିଙ୍କୁ ଦିଆଯାଇଥିଲା । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଦେଇଥିଲେ ଆକ୍ରୋଶାତ୍ମକ ବୟାନ । ମୁଖ୍ୟମନ୍ତ୍ରୀ କିଛି ଜାଣନ୍ତି ନାହିଁ । ସେ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ଦୁର୍ବଳ ବ୍ୟକ୍ତି । ରାଜ୍ୟରେ ବିରୋଧୀଙ୍କ ଅଭାବ ଥିବାରୁ ଏହାର ଫାଇଦା ଉଠାଇଛନ୍ତି ନବୀନ ବୋଲି ସେତେବେଳେ ପ୍ରଫୁଲ୍ଲ କହିଥିଲେ । ତାଙ୍କର ଏହି ଦଳ ବିରୋଧୀ ବୟାନକୁ ନେଇ ତାଙ୍କୁ ଦଳରୁ ବିତାଡିତ କରାଯାଇଥିଲା । ଛୋଟିଆ ଗୋଟିଏ ସ୍ୱାର୍ଥ ହାନୀରେ ପ୍ରଫୁଲ୍ଲ ଦେଖାଇଥିଲେ ତାଙ୍କ ଅସଲ ରୂପ ।ତାଙ୍କର ପୁଅ ହେଉଛନ୍ତି ସେଠାକାର ବିଧାୟକ । ପୂର୍ବରୁ ଯାହା ପ୍ରଫୁଲ୍ଲ କରୁଥିଲେ ଏବେ ଡାନି ତାହା କରୁଛନ୍ତି ।
ମୁଖ୍ୟତଃ ଟାଟା ଷ୍ଟିଲର କଣ୍ଟ୍ରାକ୍ଟର ଜଏସ ଅଟୱାଲାଙ୍କ ସହ ମିଶି କମ୍ପାନୀ ଭିତରେ ଚଳାଇଛନ୍ତି ଅରାଜକତା । ଡାନିଙ୍କ ଛତ୍ରଛାୟା ତଳେ ଅଟୱାଲା ଠିକା ସଂସ୍ଥା ସ୍ଥାନୀୟ ଅଞ୍ଚଳରେ ଚଳାଇଛି ରାଜ । ଦୀର୍ଘ ୩୦ ବର୍ଷରୁ ଉଦ୍ଧ୍ୱର୍ କାଳ ସେଠାରେ ଲୋକମାନେ କାମ କରିଆସୁଥିଲେ ମଧ୍ୟ ସେମାନଙ୍କୁ ନା ମିଳୁଛି ସ୍ଥାୟୀ ନିଯୁକ୍ତି, ନାହିଁ ଅଛି ବୋନସ । ଏବେ ଠିକାଦାର ଶ୍ରମିକଙ୍କୁ ଚାକିରିରୁ ବାହାର କରିବାକୁ ମସୁଧା କରୁଥିବା ଶୁଣିବାକୁ ମିଳୁଛି । କୁହାଯାଉଛି, ଟାଟା ଷ୍ଟିଲରେ ଡାନି ତଥା କଣ୍ଟ୍ରାକ୍ଟରଙ୍କ କିଛି ସମର୍ଥକ ଓ ନିଜ ଲୋକଙ୍କୁ ଭର୍ତ୍ତି କରିବାକୁ ଏପରି ଚକ୍ରାନ୍ତ କରାଯାଉଛି । ଶ୍ରମିକମାନେ ସେମାନଙ୍କ ସମସ୍ୟାକୁ ନେଇ ସ୍ଥାନୀୟ ପ୍ରଶାସନ, ପୁଲିସ, ବିଧାୟକଙ୍କୁ ଜଣାଇ ଥକିଗଲେଣି । କିନ୍ତୁ କିଛି ଫଳ ମିଳୁନାହିଁ । ସବୁଠି ଡାନିଙ୍କ ଭୟ । ଏହି ସବୁ ଅନିୟମିତତା ଓ ଅରାଜକତା ପାଇଁ ସ୍ଥାନୀୟ ବାସିନ୍ଦା ଆଙ୍ଗୁଳି ଦେଖାଉଛନ୍ତି ଡାନିଙ୍କ ଆଡକୁ । କିନ୍ତୁ ମୁହଁ ଖୋଲି କେହି କିଛି କହିବାକୁ ଭୟ କରୁଛନ୍ତି । ଡାନିଙ୍କର ଖାଲି ଖଣି ମାଫିଆଙ୍କ ସହ ମଧୁଚନ୍ଦ୍ରିକା ରହିଛି, ତାହା ନୁହେଁ , ସେ ବିରାଟ ଗୁଣ୍ଡା ବାହିନୀ ମଧ୍ୟ ପାଳୁଛନ୍ତି ।