ନୟାଗଡ / ମାନସ କୁମାର ସାହୁ : ଗଞ୍ଜେଇ ଚାଷର ପେଣ୍ଠସ୍ଥଳୀ ପାଲଟିଛି କନ୍ଧମାଳ ଜିଲ୍ଲା। କନ୍ଧମାଳରୁ ଦୈନିକ ରାଜ୍ୟ ଓ ରାଜ୍ୟ ବାହାରକୁ ହେଉଛି ଗଞ୍ଜେଇ ଚୋରା ଚାଲାଣ। କଲେଜ ପଢୁଆ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ମହିଳାମାନେ ଏହି ଚାଲାଣ ରେ ସଂପୃକ୍ତ ରହୁଥିବା ବେଳେ ପୁଲିସ ଏବଂ ଅବକାରୀ ବିଭାଗ ଠାରୁ ସନ୍ଦେହ ଦୂର କରିବା ପାଇଁ ଦାମୀ ଗାଡିରେ ଏସବୁ ଗଞ୍ଜେଇ ଚାଲାଣ ହେଉଛି। ୨ ଦିନ ତଳେ ବାଣିଗୋଛା ପୁଲିସ ଏବଂ ଅବକାରୀ ବିଭାଗ ବିହାର ର ୨ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ୨୯ କେଜି ଗଞ୍ଜେଇ ଜବତ୍ କରିଥିବା ବେଳେ ଗତକାଲି ସନ୍ଧ୍ୟାରେ ଦଶପଲ୍ଲା ପୁଲିସ କୁ ମିଳିଛି ଆଉଏକ ସଫଳତା। ମାଫିଆ ମାନେ ( ଓଆର୍ ୦୨ ଏଏ ୧୧୫୫ ) କାର୍ ଯୋଗେ ଗଞ୍ଜେଇ ଚାଲାଣ ସମୟରେ ଦଶପଲ୍ଲା-ଗଣିଆ ୪୮ ନମ୍ବର ରାଜ୍ୟ ରାଜପଥ ଯୋଗୀବନ୍ଧ ନିକଟରୁ ଗଞ୍ଜେଇ ଭର୍ତ୍ତି କାର୍ କୁ ଜବତ୍ କରାଯାଇଛି। କାର୍ ରୁ ୨୪ କେଜି ୫ ଶହ ଗ୍ରାମ ଗଞ୍ଜେଇ ଜବତ୍ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଦଶପଲ୍ଲା ପୁଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସାନଗାଡୁ ଗ୍ରାମର ସୁଶୀଲ ଦିଗାଲ୍, ଚକାପାଦ ଥାନା ଅନ୍ତର୍ଗତ ରଙ୍ଗମାଟିଆ ଗ୍ରାମର ସଂଜୀବ ଓରଫ୍ ସଂଜିତ୍ ଦିଗାଲ୍, ଟିକାବାଲି ଥାନା ଅନ୍ତର୍ଗତ କଟାଡି ଗ୍ରାମର ବିପ୍ଲବ ଦିଗାଲ୍ ଏବଂ ସୁକଦେବ ପ୍ରଧାନ। ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ଯାଞ୍ଚ ବେଳେ ଏହା ଜଣା ପଡିଥିବା ଥାନା ଅଧିକାରୀ ବସନ୍ତ କୁମାର ସାହୁ କହିଛନ୍ତି। ଅଭିଯୁକ୍ତ ମାନଙ୍କ ଠାରୁ ୫ ଟି ମୋବାଇଲ ଫୋନ ଜବତ୍ କରାଯାଇଛି। ଅଭିଯୁକ୍ତ ମାନେ ଏସବୁ ଗଞ୍ଜେଇ କୁ ଭୁବନେଶ୍ୱର ଚାଲାଣ କରୁଥିବା ବେଳେ ପେଶାଦାର ବ୍ୟବସାୟୀ ହୋଇଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି।