ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ ପାଇଁ ଜାରି ନିଲାମୀ ମଧ୍ୟରେ ଡେଭିଡ୍ ୱାର୍ଣ୍ଣର ଚର୍ଚ୍ଚାକୁ ଆସିଛନ୍ତି । ସୋସିଆଲ୍ ମିଡିଆରେ ୱାର୍ଣ୍ଣର କିଛି ସ୍କ୍ରିନସର୍ଟ ସେୟାର କରିଛନ୍ତି । ଏହି ସ୍କ୍ରିନସର୍ଟ ତାଙ୍କ ପୁରୁଣା ଆଇପିଏଲ୍ ଟିମ୍ ହାଇଦ୍ରାବାଦର ସୋସିଆଲ୍ ମିଡିଆର । ଡେଭିଡ୍ ୱାର୍ଣ୍ଣର ନିଜ ନ୍ୟାସନାଲ ଟିମ୍ର ସାଥୀ ଖେଳାଳି ଟ୍ରାଭିସ୍ ହେଡ୍ ଓ ପାଟ୍ କମିନ୍ସଙ୍କ ପାଇଁ ପୋଷ୍ଟ ସେୟାର କରୁଥିଲେ । ସନରାଇଜର୍ସ ଟ୍ରାଭିସ୍ ହେଡଙ୍କୁ ୬.୮୦ କୋଟି ଟଙ୍କା ଓ ପାଟ କମିନ୍ସଙ୍କୁ ୨୦.୫୦ କୋଟି ଟଙ୍କାରେ କିଣିଛି । ଏଥିପାଇଁ ଉଭୟଙ୍କୁ ଶୁଭେଚ୍ଛା ଜଣାଇବାକୁ ଚାହୁଁଥିଲେ । ୱାର୍ଣ୍ଣର ନିଜର ଏହି ପୋଷ୍ଟରେ ସନରାଇଜର୍ସ ହାଇଦ୍ରାବାଦକୁ ମଧ୍ୟ ସୋସିଆଲ୍ ମିଡିଆରେ ଟ୍ୟାଗ କରିବାକୁ ଚାହୁଁଥିଲେ, କିନ୍ତୁ ଏପରି କରିପାରିଲେ ନାହିଁ ।
ସନରାଇଜର୍ସ ହାଇଦ୍ରାବାଦର ସୋସିଆଲ୍ ମିଡିଆ ଟିମ୍ ୱାର୍ଣ୍ଣରକୁ ବ୍ଲକ୍ କରି ରଖିଛି । ଟ୍ୱିଟର କି ଇନଷ୍ଟାଗ୍ରାମ କେଉଁଥିରେ ବି ସେ ସନରାଇଜର୍ସଙ୍କୁ ଟ୍ୟାଗ୍ କରିପାରିଲେ ନାହିଁ । ଶେଷରେ ଏହାର ଏକ ସ୍କ୍ରିନସର୍ଟ ସୋସିଆଲ୍ ମିଡିଆରେ ସେୟାର କଲେ ।
ଉଲ୍ଲେଖଯୋଗ୍ୟ ଯେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଡେଭିଡ ୱାର୍ଣ୍ଣରଙ୍କ କ୍ୟାରିୟର ବେଶ ଭଲ ଥିଲା । ତାଙ୍କ କ୍ୟାପ୍ଟେନ୍ସିର ହାଇଦ୍ରାବାର ୨୦୧୬ରେ ଟାଇଟଲ ଜିତିଥିଲା । କିନ୍ତୁ ଏହାପରେ ୱାର୍ଣ୍ଣରଙ୍କ କ୍ୟାରିୟରରେ ଅନେକ ଅସ୍ଥିରତା ଆସିଥିଲା । କ୍ରିକେଟରୁ ଗୋଟିଏ ବର୍ଷ ବ୍ୟାନ ହେବାକୁ ପଡ଼ିଥିଲା । କ୍ରିକେଟକୁ ଫେରିବା ପରେ ଫ୍ରାଞ୍ଚାଇଜ ପାଇଁ ଭଲ ପ୍ରଦର୍ଶନ କରିପାରି ନଥିଲେ । ୨୦୨୧ ଯାଏ ଡେଭିଡ୍ ୱାର୍ଣ୍ଣର ଓ ହାଇଦ୍ରାବାଦ ମଧ୍ୟ ବିବାଦ ବଢିଥିଲା । ଏହାପରେ ସିଜିନ ମଝିରେ ତାଙ୍କୁ କ୍ୟାପ୍ଟେନ୍ସିରୁ ହଟାଇ ୱିଲିୟମସନକୁ ଅଧିନାୟକ କରାଗଲା । ଏପରି କି ତାଙ୍କୁ ଚୂଡାନ୍ତ ଏକାଦଶରେ ବି ସାମିଲ କରାଗଲା ନାହିଁ । ୨୦୨୨ରେ ଆଇପିଏଲରେ ହାଇଦ୍ରାବାଦ ତାଙ୍କୁ ରିଲିଜ୍ କରିଥିଲା । ଏହାପରେ ସେ ସୋସିଆଲ ମିଡିଆରେ ଟିମକୁ ନେଇ ଅନେକ କଟାକ୍ଷ ଭରା ଟିପ୍ପଣୀ କରିଥିଲେ ।