ସହିଦ ସ୍ମୃତି ଦିବସ ପାଳିତ

0

(ଟୁକୁନା ଖରା / ନବରଙ୍ଗପୁର ) : ସହିଦ ମାନଙ୍କ ସ୍ମୃତି ଚାରଣ ଉଦ୍ଧେଶ୍ୟରେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସ୍ଥିତ ତୁରି ନଦୀ କୂଳରେ ଥିବା ସହିଦ ମିନାର ଠାରେ ସହିଦ ଦିବସ ପାଳିତ ହୋଇଯାଇଛି । ନବରଙ୍ଗପୁର ଠାରୁ ଆସିଥିବା ସହିଦ ମଶାଲ କୁ ପାପଡାହାଣ୍ଡି ଠାରେ ସ୍ୱାଗତ ଜଣାଇବା ପରେ ଏକ ସଭାଯାତ୍ରାରେ ସହିଦ ମଶାଲ କୁ ସହିଦ ମିନାରକୁ ନିଆଯାଇଥିଲା । ପରେ ସହିଦ ମାନଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ସର୍ବ ଧର୍ମ ପ୍ରାର୍ଥନା ପରେ ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ରଙ୍କ ସଭାପତିତ୍ୱରେ ସ୍ମୃତି ସଭା ଆୟୋଜନ କରାଯାଇଥିଲା । ସର୍ବ ପ୍ରଥମେ ସଂଗ୍ରାମୀ ମହମ୍ମଦ ବାଜିଙ୍କ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନାଥ ସରକା, ସମ୍ମାନିତ ଅତିଥି ଭାବେ ହସ୍ତତନ୍ତ୍ର ଏବଂ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ, ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ, ଜିଲ୍ଲାର ସବୁ ବିଧାୟକ,ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର, ଜିଲ୍ଲା ଆରକ୍ଷୀ ଅଧିକାରୀ ନୀତିନ କୁସଲକର , ମୁନା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ସହିଦ ମାନଙ୍କୁ ସ୍ମୃତି ଚାରଣ କରିବା ସହ ଦାୟାଦ ପରିବାର ମାନଙ୍କୁ ସମ୍ମାନିତ କରିଥିଲେ । ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନରେ ଅବିଭକ୍ତ କୋରାପୁଟ ଜିଲ୍ଲାର ସଂଗ୍ରାମୀ ମାନେ ଦେଶ ସ୍ୱାଧୀନତା ପାଇଁ ଆଗେଇ ଆସିଥିଲେ , ୧୯୪୨ ମସିହା ଅଗଷ୍ଟ ୨୪ ତାରିଖରେ ପାପଡାହାଣ୍ଡି ଟୁରି ନଦୀରେ ଇଂରେଜଙ୍କ ଗୁଳି କାଣ୍ଡରେ ଟଳି ପଡ଼ିଥିଲେ ୧୯ ଜଣ ସଂଗ୍ରାମୀ । ଶତାଧିକ ଲୋକ ଆହତ ହୋଇଥିଲେ । ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଜିଲ୍ଲା ପ୍ରଶାସନ ଏହି ଦିବସକୁ ସହିଦ ଦିବସ ଭାବେ ପାଳନ କରିଆସୁଛନ୍ତି।