ଥୁଆମୂଳ ରାମପୁର/ଗୋଲାପ ସାହୁ : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଧୀନ ଥୁଆମୂଳ ଭଟାଗୁଡା ଗ୍ରାମରେ ବୁଧବାର ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ୧୦ ବର୍ଷର ଶିଶୁକୁ ଗୋଡାଇ ଗୋଡାଇ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହି ଗ୍ରାମର ଘାସିରାମ ମାଝୀଙ୍କ ୧୦ ବର୍ଷର ପୁଅ ଅନିଲକୁ ସେହି ଗ୍ରାମର ଜୟସିଂ ଜାନୀ (୪୨)ନାମକ ଜଣେ ବ୍ୟକ୍ତି ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଘଟଣା ଥୁଆମୂଳ ରାମପୁର ଥାନାରେ ଅଭିଯୋଗ ହୋଇଛି।ଏଥିସହିତ ଘାସିରାମଙ୍କ ବଡପୁଅ ଦେବାନନ୍ଦକୁ ମଧ୍ୟ ଧନୁତୀରରେ ଆକ୍ରମଣ କରି ତାର ଗୋଡରେ ଆହତ କରିଛି।ପରେ ଗ୍ରାମର ବୃଦ୍ଧ ତାମା ଜାନୀକୁ ମଧ୍ୟ ଆକ୍ରମଣ କରିଥିବା ଯୋଗୁଁ ସେ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଅଭିଯୋଗ ଆସିଛି।ଅଭିଯୋଗ ପରେ ଥୁଆମୂଳ ରାମପୁର ଥାନା ଅଧିକାରୀ ଗୋବିନ୍ଦ ମାଝୀ ଓ ତାଙ୍କ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ଥାନାରେ ଅଟକ ରଖି ପଚରାଉଚରା କରୁଛି।ଘଟଣାର ସମ୍ପୁର୍ଣ୍ଣ ତଥ୍ୟ ପାଇଁ ଆସନ୍ତା କାଲି ଭବାନୀପାଟଣାରୁ ସାଇନ୍ଟିଫିକ୍ ଟିମ୍ ଭଟାଗୁଡା ଗ୍ରାମକୁ ପହଞ୍ଚି ତଦନ୍ତ କରିବ ବୋଲି ଥାନା ଅଧିକାରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି।