କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ବର୍ଷିୟାନ ସ୍ଵାଧୀନତା ସଂଗ୍ରାମୀ ମକର ଦାସଙ୍କର ୯୯ ବର୍ଷ ବୟସରେ ଆଜି ସକାଳ ୬ଟା ୪୦ ମିନିଟରେ ଦେହାନ୍ତ ହୋଇଯାଇଛି l କଟକ ଏସସିବି ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l କିଡ୍ନୀ ଓ ଫୁସଫୁସରେ ସଂକ୍ରମଣ ଯୋଗୁ ଗତ ଅଗଷ୍ଟ ୧ ତାରିଖରେ ମକର ଦାସଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତି କରାଯାଇଥିଲା l ମକର ଦାସ ଗାନ୍ଧିଜୀଙ୍କ ଡାକରାରେ ମୁକ୍ତି ସଂଗ୍ରାମ ରେ ସାମିଲ ହୋଇଥିଲେ l
ସ୍ଵତନ୍ତ୍ରତା ସୈନିକ ସମ୍ମାନ ଯୋଜନାରେ ଶ୍ରୀ ମକର ଦାସଙ୍କୁ କ୍ରାନ୍ତି ଦିବସ ଅବସରରେ ଚଳିତ ବର୍ଷ ମହାମହିମ ରାଷ୍ଟ୍ରପତିଙ୍କ ତରଫରୁ ଜିଲ୍ଲା ପ୍ରଶାସନ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା l ଆଜି ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପୁଅ ପଞ୍ଚାନନ ଦାସ ଓ ପରିବାର ଲୋକେ ଉପସ୍ଥିତ ଥିଲେ l ତାଙ୍କ ପୈତୃକ ଗାଁ ଡେରାବିଶ ବ୍ଲକ୍ ହାଟ ବାଣପୁର ଠାରେ ମକର ଦାସ ଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି l ଜିଲା ପ୍ରଶାସନ ପକ୍ଷରୁ ମରଶରୀର ରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା |