ବ୍ୟୁରୋ : ଅଭିଯୁକ୍ତ ଜଣକ ଗତ ସାତ ବର୍ଷ ପୂର୍ବେ ନିଜ ବଡ଼ ଭଉଣୀଙ୍କ ଘରକୁ ବୁଲିବାକୁ ଯାଇଥିବା ବେଳେ, ସେଠାରେ ଅଭିଯୋଗକାରିଣୀଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିଲା । ଅଭିଯୁକ୍ତ ଅଭିଯୋଗକାରିଣୀଙ୍କୁ ସେଠାରେ ବିବାହ ଲାଗି ପ୍ରସ୍ତାବ ଦେଇଥିଲେ, ଏବଂ ଏହା ପର ଠାରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠ ହୋଇଥିଲା । ଉଭୟ ପରସ୍ପର ସହିତ ଫୋନରେ କଥା ହେବା ସହ ବିଭିନ୍ନ ସ୍ଥାନରେ ଦେଖାସାକ୍ଷାତ କରୁଥିଲେ । ଇତିମଧ୍ୟରେ ଅଭିଯୁକ୍ତ ଜଣକ ଅଭିଯୋକାରିଣୀଙ୍କ ଅଜ୍ଞାତରେ ତାଙ୍କର କିଛି ଆପତ୍ତିଜନକ ଫଟୋ ଉତ୍ତୋଳନ କରି ନିଜ ମୋବାଇଲରେ ରଖିଥିଲେ । କିଛିଦିନ ବିତିଯିବା ପରେ ଅଭିଯୁକ୍ତ ଜଣକ ଖଳ ପ୍ରକୃତିର ଏବଂ ତାଙ୍କର ଅନ୍ୟ କିଛି ଝିଅଙ୍କ ସହିତ ମଧ୍ୟ ସମ୍ପର୍କ ଥିବା ଜାଣି ଅଭିଯୋଗକାରିଣୀ ତାଙ୍କୁ ବିବାହ କରିବାକୁ ମନା କରି ତାଙ୍କ ନିକଟରୁ ଦୂରେଇ ଯାଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ଜଣକ ଅଭିଯୋଗକାରିଣୀଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଦେଇଥିଲେ । ସେ ଅଭିଯୋଗକାରିଣୀଙ୍କୁ ମାଡ଼ ମାରିବା ସହ ଜୀବନରୁ ମାରିଦେବାର ଧମକ ଦେଇଥିଲେ ଏବଂ ପାଖରେ ଥିବା ଆପତ୍ତି ଜନକ ଫଟୋ/ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ପ୍ରସାର ମଧ୍ୟ କରିଦେଇଥିଲେ ।
ଏହି ଘଟଣାକୁ କେନ୍ଦ୍ରକରି ଅଭିଯୋଗକାରିଣୀଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲାର ତଦନ୍ତ କରିବା ସହିତ ଏକ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ଚଢଉ ଜରିଆରେ ଅଭିଯୁକ୍ତଙ୍କୁ ଚୁନକୋଳି ବସ୍ତି ଅଞ୍ଚଳରୁ କାବୁ କରିବାରେ ସକ୍ଷମ ହୋଇଥିଲେ । ପଚରାଉଚରା ବେଳେ, ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ।