ଭୁବନେଶ୍ୱର: ଆଜି ଦିବଙ୍ଗତ ରାଷ୍ଟ୍ରୀୟ ନେତା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଦ୍ୱାଦଶାହ । ଏହି ଅବସରରେ ଡାକ୍ତର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଭୁବନେଶ୍ୱର ସ୍ଥିତ ବାସଭବନରେ ଲାଗିଛି ଗହଳି । ବଡ ବଡ ରାଜ ନେତାଙ୍କ ଠାରୁ ଆରମ୍ଭ କରି ହଜାର ହଜାର ଲୋକ ସେଠାରେ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରୁଛନ୍ତି ।
ସୂଚନା ଅନୁଯାୟୀ, ଗତ ୧୭ ତାରିଖରେ ଡା. ପ୍ରଧାନ ପୂର୍ବାହ୍ନ ନୂଆଦିଲ୍ଲୀରେ ତାଙ୍କ ପୁଅ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସରକାରୀ ବାସଭବନରେ ଶେଷନିଃଶ୍ବାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। ଡାକ୍ତରୀ ପେସା ଛାଡ଼ି ଅଶୀ ଦଶକରେ ବିଜେପି ମଣ୍ଡଳ ସଭାପତି ଭାବେ କ୍ୟାରିଅର ଆରମ୍ଭ କରିଥିବା ଦେବେନ୍ଦ୍ର ପ୍ରଧାନ କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଭୂପୃଷ୍ଠ ପରିବହନ ଓ କୃଷି ରାଷ୍ଟ୍ର ମନ୍ତ୍ରୀ ହୋଇଥିଲେ।
କୁହ ଯାଉଛି ଯେ , ୧୯୪୧ ମସିହାରେ ଢେଙ୍କାନାଳ ଜିଲ୍ଲା (ବର୍ତ୍ତମାନ ଅନୁଗୁଳ) କଣିହାଁ ବ୍ଲକ୍ର ନାଲମ ଗାଁରେ ଜନ୍ମିତ ଦେବେନ୍ଦ୍ର ପ୍ରଧାନ ୧୯୬୬ରେ ଏସ୍ସିବିରୁ ଏମ୍ବିବିଏସ୍ ଉତ୍ତୀର୍ଣ୍ଣ ହୋଇଥିଲେ। ଏସ୍ସିବିରେ ବର୍ଷେ ହାଉସ୍ ସର୍ଜନ ଭାବେ କାମ କରିବା ପରେ ତାଳଚେର ଡେରାରେ ଆସିଷ୍ଟାଣ୍ଟ ମେଡିକାଲ୍ ଅଫିସର ଭାବେ ଯୋଗଦେଇଥିଲେ। ୧୯୭୩ରେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ। ୧୯୮୦ରେ ବିଜେପିରେ ଯୋଗଦେବା ସହ ତାଙ୍କର ରାଜନୈତିକ କ୍ୟାରିଅର ଆରମ୍ଭ ହୋଇଥିଲା। ୧୯୮୦ରୁ ୧୯୮୩ ପର୍ଯ୍ୟନ୍ତ ତାଳଚେର ମଣ୍ଡଳ ସଭାପତି, ୧୯୮୩-୮୫ ଢେଙ୍କାନାଳ ଜିଲ୍ଲା ସଭାପତି ହୋଇଥିଲେ।
ସେ ୧୯୮୮ରୁ ୧୯୯୦, ୧୯୯୦-୯୩, ୧୯୯୫ରୁ ୧୯୯୭ ପର୍ଯ୍ୟନ୍ତ ତିନି ଥର ବିଜେପିର ରାଜ୍ୟ ସଭାପତି ହୋଇଥିଲେ। ୧୯୮୪, ୧୯୯୬ରେ ସେ ଦେବଗଡ଼ରୁ ସାଂସଦ ପ୍ରାର୍ଥୀ, ୨୦୦୪ରେ ପାଲଲହଡ଼ାରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ ବି ହାରି ଯାଇଥିଲେ। ୧୯୯୮ରେ ସେ ଦେବଗଡ଼ରୁ ସାଂସଦ ଭାବେ ନିର୍ବାଚିତ ହେବା ସହ କେନ୍ଦ୍ରରେ ଭୂପୃଷ୍ଠ ପରିବହନ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ୧୯୯୯ରେ ପୁଣି ଦେବଗଡ଼ରୁ ସାଂସଦ ହେବା ସହ କେନ୍ଦ୍ରରେ ଭୂ-ପୃଷ୍ଠ ପରିବହନ ଏବଂ କୃଷି ମନ୍ତ୍ରଣାଳୟର ରାଷ୍ଟ୍ର ମନ୍ତ୍ରୀ ହୋଇଥିଲେ। ୨୦୦୧ରେ ସେ ବିେଜପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହୋଇଥିଲେ।