୩ ମାସ ମଧ୍ୟରେ ନେବାକୁ ହେବ ନିଷ୍ପତ୍ତି

0

ନୂଆଦିଲ୍ଲୀ-: ସୁପ୍ରିମକୋର୍ଟରୁ ଏକ ବଡ଼ ଖବର ଏବେ ସାମ୍ନାକୁ ଆସିଛି । ସୁପ୍ରିମକୋର୍ଟ ଏକ ମାମଲାରେ ଦେଶର ରାଷ୍ଟ୍ରପତିଙ୍କ ପାଇଁ ମଧ୍ୟ ସମୟ ସୀମା ସ୍ଥିର କରିଛନ୍ତି । ରାଜ୍ୟପାଳଙ୍କ ତରଫରୁ ରାଷ୍ଟ୍ରପତିଙ୍କୁ ପଠା ଯାଉଥିବା ବିଲ୍ ଉପରେ ରାଷ୍ଟ୍ରପତି ୩ ମାସ ମଧ୍ୟରେ ନିଷ୍ପତ୍ତି ନେବା ବାଧ୍ୟତାମୂଳକ ବୋଲି ପ୍ରଥମଥର ସୁପ୍ରିମକୋର୍ଟ ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ତାମିଲନାଡୁ ରାଜ୍ୟପାଳଙ୍କ ଦ୍ୱାରା ବିଚାରାଧୀନ ବିଲ୍‌ଗୁଡ଼ିକୁ ଅନୁମୋଦନ ନ ଦେବାର ନିଷ୍ପତ୍ତିକୁ ରଦ୍ଦ କରିବା ପରେ ଆସିଛି । ମଙ୍ଗଳବାର ଏହି ରାୟ ଶୁଣାଣି ହୋଇଥିବା ବେଳେ ଶୁକ୍ରବାର ଏହା ସାର୍ବଜନୀନ ହୋଇଛି ।

ଜଷ୍ଟିସ ଜେବି ପର୍ଦ୍ଦିୱାଲା ଏବଂ ଜଷ୍ଟିସ ଆର ମହାଦେବନଙ୍କ ଦ୍ୱିସଦସ୍ୟ ବେଞ୍ଚ କହିଛନ୍ତି ଯେ ରାଷ୍ଟ୍ରପତିଙ୍କ କାର୍ଯ୍ୟ ସମ୍ବିଧାନର ଧାରା ୨୦୧ ଅନୁଯାୟୀ ନ୍ୟାୟିକ ପର୍ଯ୍ୟାଲୋଚନା ଅଧୀନରେ ରହିବ। ଏହି ଧାରା ଅନୁସାରେ, ରାଜ୍ୟପାଳ କୌଣସି ବିଲ୍‌କୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଲେ, ରାଷ୍ଟ୍ରପତି ତାହାକୁ ଅନୁମୋଦନ ଦେବେ କିମ୍ବା ଅସ୍ୱୀକାର କରିବେ। କିନ୍ତୁ ସମ୍ବିଧାନରେ ଏହା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଦିଆଯାଇ ନାହିଁ।

କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ରାଷ୍ଟ୍ରପତିଙ୍କ ପାଖରେ ‘ପକେଟ୍ ଭିଟୋ’ ଅଧିକାର ନାହିଁ। ଅର୍ଥାତ୍, ସେ ବିଲ୍‌କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅଟକାଇ ରଖି ପାରିବେ ନାହିଁ। ସୁପ୍ରିମକୋର୍ଟ ଆହୁରି କହିଛନ୍ତି, “ଯେକୌଣସି ଆଇନରେ ସମୟସୀମା ଉଲ୍ଲେଖ ନ ଥିଲେ ମଧ୍ୟ, ସମ୍ବନ୍ଧିତ କାର୍ଯ୍ୟ ଯୁକ୍ତିଯୁକ୍ତ ସମୟ ମଧ୍ୟରେ ସମ୍ପନ୍ନ ହେବା ଉଚିତ। ରାଷ୍ଟ୍ରପତିଙ୍କ କ୍ଷମତା ପ୍ରୟୋଗ ଏହି ସାଧାରଣ ନୀତିରୁ ମୁକ୍ତ ନୁହେଁ।”

ଏହି ରାୟରେ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଯଦି ତିନି ମାସରୁ ଅଧିକ ବିଳମ୍ବ ହୁଏ, ତେବେ ତାହାର ଉଚିତ କାରଣ ରେକର୍ଡ କରାଯାଇ ସମ୍ବନ୍ଧିତ ରାଜ୍ୟକୁ ଜଣାଇବାକୁ ହେବ। ଯଦି ଏହି ସମୟସୀମା ମଧ୍ୟରେ କୌଣସି ନିଷ୍ପତ୍ତି ନ ନିଆଯାଏ, ତେବେ ସମ୍ପୃକ୍ତ ରାଜ୍ୟ ନ୍ୟାୟାଳୟର ଦ୍ୱାରସ୍ଥ ହୋଇପାରିବ।