ଦିଲ୍ଲୀ ଆଇଏଏସ୍‌ କୋଚିଂ ସେଣ୍ଟର ଅଘଟଣର ତଦନ୍ତ କରିବ ସିବିଆଇ

0

ନୂଆଦିଲ୍ଲୀ: ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗର କୋଚିଂ ସେଣ୍ଟରରେ ତିନି ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣା ମାମଲାର ତଦନ୍ତକୁ ହାଇକୋର୍ଟ ସିବିଆଇକୁ ହସ୍ତାନ୍ତର କରିଛନ୍ତି । ଦିଲ୍ଲୀ ହାଇକୋର୍ଟର କାର୍ଯ୍ୟବାହକ ପ୍ରଧାନ ବିଚାରପତି ମନମୋହନ ଏବଂ ଜଷ୍ଟିସ ତୁଷାର ରାଓ ଗେଡେଲାଙ୍କ ବେଞ୍ଚ ଶୁକ୍ରବାର କହିଛନ୍ତି, ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଆମେ ଏହାକୁ ସିବିଆଇକୁ ହସ୍ତାନ୍ତର କରୁଛୁ ।

ଏଥିସହ ସିବିଆଇ ତଦାରଖ ପାଇଁ ଜଣେ ଅଧିକାରୀଙ୍କୁ ମନୋନୀତ କରିବାକୁ ହାଇକୋର୍ଟ କେନ୍ଦ୍ରୀୟ ଭିଜିଲାନ୍ସ କମିଶନକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ସରକାରଙ୍କ କାର୍ୟ୍ୟରେ କିଛି ସମସ୍ୟା ରହିଛି, ଏହାର ବିସ୍ତୃତ ସମୀକ୍ଷାର ଆବଶ୍ୟକତା ରହିଛି ବୋଲି ଅଦାଲତ କହିଛନ୍ତି।

ଶୁଣାଣି ସମୟରେ ଦିଲ୍ଲୀ ପୋଲିସ ଏବଂ ମ୍ୟୁନିସିପାଲ କର୍ପୋରେସନର ଅବହେଳା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ଅଦାଲତ। କୋଚିଂ ସେଣ୍ଟର ବେସମେଣ୍ଟରେ ପାଣି ପଶିଯିବାକୁ ନେଇ ଦିଲ୍ଲୀ ପୋଲିସ ଜଣେ ଏସୟୁଭି ଡ୍ରାଇଭରଙ୍କୁ ଗିରଫ କରିଥିଲା। ଏହାକୁ ନେଇ ଦିଲ୍ଲୀ ପୋଲିସକୁ କଡା ଭର୍ସନା କରିଛନ୍ତି ହାଇକୋର୍ଟ।

ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ପ୍ରବଳ ବର୍ଷା ହେବା ପରେ ରାଜେନ୍ଦ୍ର ନଗରରେ ଥିବା ଏକ ଆଇଏଏସ କୋଚିଂ ସେଣ୍ଟରର ବେସମେଣ୍ଟରେ ପାଣି ପଶି ଯାଇଥିଲା । ତଳ ମହଲା ଲାଇବ୍ରେରୀ ଥିବାରୁ ଏଠାରେ ୩୦ରୁ ୩୫ ଜଣ ଛାତ୍ରୀଛାତ୍ର ପଢ଼ୁଥିଲେ । ଏହି ସମୟରେ ନିକଟରେ ଯାଇଥିବା ଡ୍ରେନର ପାଣି ପ୍ରବଳ ବେଗରେ ମାଡ଼ିଆସିଥିଲା । ସଙ୍ଗେ ସଙ୍ଗେ ପାଣି ବେଞ୍ଚ ଉପର ଯାଏଁ ଚାଲି ଆସିବାରୁ ଛାତ୍ରୀଛାତ୍ରମାନେ ବେଞ୍ଚ ଉପରକୁ ଚଢ଼ି ଯାଇଥିଲେ ।

ହେଲେ ଦୁର୍ଭାଗ୍ୟବଶତଃ ୩ ଜଣ ସେହି ପାଣିରେ ବୁଡ଼ି ଯାଇଥିଲେ । ଖବର ପାଇ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଜଣେ ସେମାନଙ୍କ ମୃତ୍ୟୁ ଘଟିଥିଲା। ମୃତକ ମାନେ ହେଲେ ତେଲେଙ୍ଗାନାର ତାନିଆ ସୋନି (୨୫), ଉତ୍ତରପ୍ରଦେଶର ଶ୍ରେୟା ଯାଦବ (୨୫) ଏବଂ କେରଳର ନବୀନ ଡେଲଭିନ୍ (୨୮)।