ଷଷ୍ଠ ଶ୍ରେଣୀ ଛାତ୍ରକୁ ହତ୍ୟା କଲା ୧୨ ବର୍ଷର ଛାତ୍ର

0

ଦିଲ୍ଲୀର ଏକ ଘରୋଇ ସ୍କୁଲରେ ଜଣେ ୬ଷ୍ଠ ଶ୍ରେଣୀ ଛାତ୍ରକୁ ହତ୍ୟା କରାଯାଇଛି। ଅନ୍ୟ ଜଣେ ଛାତ୍ର ପୀଡ଼ିତ ଛାତ୍ରକୁ ମାଡ଼ ମାରିବା ସହିତ ତଣ୍ଟି ଚିପି ହତ୍ୟା କରିଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ୧୨ ବର୍ଷୀୟ ଛାତ୍ରକୁ ଅଟକ ରଖି ତଦନ୍ତ ଚଳାଇଛି। ଘଟଣା ପ୍ରତିବାଦରେ ଅଭିଭାବକଙ୍କ ପକ୍ଷରୁ ସ୍କୁଲରେ ଧାରଣା ଦିଆଯାଇଥିଲା।ଅଭିଭାବକଙ୍କ ଅଭିଯୋଗ ଅନୁସାରେ, ଦକ୍ଷିଣ ଦିଲ୍ଲୀର ବସନ୍ତ ବିହାର ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲରେ ତାଙ୍କ ପୁଅ ପଢ଼ୁଥିଲା। ମଙ୍ଗଳବାର ଦୁଇ ଛାତ୍ରଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ତାଙ୍କ ପୁଅର ଜଣେ ସହପାଠୀ କହିଛି ଯେ, ଜଣେ ଛାତ୍ର ତାଙ୍କ ପୁଅକୁ ତଣ୍ଟି ଚିପି ହତ୍ୟା କରିଛି। ପିଲାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ଏତେବଡ଼ ଘଟଣା କିପରି ଘଟିଲା ଏବଂ ସ୍କୁଲ କର୍ତ୍ତୃପକ୍ଷ କିପରି ଏହା ଜାଣିପାରିଲେନି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅପରପକ୍ଷେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶି ବାଳକର ପରିବାରକୁ ଭେଟି ସମସ୍ତ ସମ୍ଭାବ୍ୟ ସହାୟତା ଏବଂ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ନିଶ୍ଚିତ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦିଲ୍ଲୀରେ ଆଇନ ଶୃଙ୍ଖଳା ଭାଙ୍ଗିଛି ଏବଂ ଏହା ପିଲାମାନଙ୍କ ଉପରେ ମଧ୍ୟ ପ୍ରଭାବ ପକାଉଛି। ଶିକ୍ଷା ବିଭାଗ ଦ୍ୱାରା ଅନୁସନ୍ଧାନ କରାଯାଉଛି ଏବଂ ଯଦି ସ୍କୁଲ ପକ୍ଷରୁ ଅବହେଳା ଦେଖାଦିଏ ତେବେ ସ୍କୁଲ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ” ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।