ଜେନେରାଲ ମ୍ୟାନେଜର ମୃତଦେହ ଉଦ୍ଧାର ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

0

(ରିିପୋର୍ଟସ ଟୁଡେ / ଶୁଭସ୍ମିତା ଦାଶ ): କଳାହାଣ୍ଡି ଜିଲ୍ଲା ମୁଖିଗୁଡା ଓଏଚପିସିର ନିଖୋଜ ଜିଏମଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଜିଏମଙ୍କ ନାମ ନାରାୟଣ ପ୍ରସାଦ ମେହେର ହୋଇଥିବା ବେଳେ ମୁଖିଗୁଡାର ଏକ ମୋବାଇଲ ଟାୱାର ତଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ନାରାୟଣଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ପୋଲିସ ତଦନ୍ତ ଜାରି ରଖିଛି । ଘଟଣାର ସିବିଆଇ କିମ୍ୱା ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ଆଜି ମୁଖିଗୁଡ଼ା ଗାଁ ଲୋକେ ଓଏଚ୍‌ପିସି କାର୍ୟ୍ୟାଳୟ ସମ୍ମୁଖରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି।

ସୂଚନାଯୋଗ୍ୟ, ଗତ ୧୭ ତାରିଖରେ ନାରାୟଣ ପ୍ରସାଦ ଅଫିସ୍‌କୁ ଆସି ନିଖୋଜ ହୋଇଯାଇଥିଲେ। ଏନେଇ ତାଙ୍କ ପତ୍ନୀ ସୂରେଖା ମେହେର ଗତ ୧୮ ତାରିଖରେ ମୁଖିଗୁଡ଼ା ଫାଣ୍ଡିରେ ଅଭିଯୋଗ କରିଥିଲେ। ତେବେ ଗତକାଲି ସନ୍ଧ୍ୟାରେ ମୁଖିଗୁଡ଼ା ଏୟାରଟେଲ ଟାୱାର ନିକଟ ବୁଦାରୁ ତାଙ୍କ ମୃତଦେହ ଠାବ କରାଯାଇଥିଲା। ବୁଦା ମୂଳରୁ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଶବକୁ ଜବତ କରି ଆଜି ବ୍ୟବଚ୍ଛେଦ ପାଇଁ ଜୟପାଟଣା ଡାକ୍ତରଖାନା ପଠାଇଛି। ଏଥିସହ କଳାହାଣ୍ଡି ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ସହ ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ନାରାୟଣ ପ୍ରସାଦଙ୍କୁ ହତ୍ୟା କରାଯାଥିବା ନେଇ ତାଙ୍କ ପୁଅ ଅଭିଯୋଗ କରିଛନ୍ତି।