ଓଡିଶା: ରାଜ୍ୟରେ ଅଣାୟତ ଡେଙ୍ଗୁ ସ୍ଥିତି । ରାଜ୍ୟରେ ପ୍ରତିଦିନ ୬୦ରୁ ୭୦ଜଣ ଡେଙ୍ଗୁ ରୋଗରେ ପଜିଟିଭ ଚିହ୍ନଟ ହେଉଛନ୍ତି । ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଭୁବନେଶ୍ୱରର ନୟାପଲ୍ଲୀ, ଆଚାର୍ଯ୍ୟବିହାର, ଜୟଦେବ ବିହାର ,ୟୁନିଟ-୯, ସହିଦନଗରରେ ବେଶି ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । କେବଳ ଭୁବନେଶ୍ୱରରୁ ହଜାରେ ଉପରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଛନ୍ତି । ଅନ୍ୟପଟେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ କ୍ୟାପିଟାଲ ହସ୍ପିଟାଲରେ କାଲିଠୁ ଖୋଲୁଛି ଡେଙ୍ଗୁ ଟେଷ୍ଟିଂ ସେଣ୍ଟର । ଏନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ । ତେବେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଏବଂ ମଶାଙ୍କ ବଂଶ ବୃଦ୍ଧିକୁ ରୋକିବା ପାଇଁ ବିଏମସି କଡା ପଦକ୍ଷପ ମଧ୍ୟ ଗ୍ରହଣ କରିଛି । ଘର ସାମ୍ନାରେ ଅଳିଆ ଗଦା ରହିଥିଲେ କିମ୍ବା ମଶା ସୃଷ୍ଟି ହେଲା ପରି ପରିସ୍ଥିତି ସୃଷ୍ଟି ହୋଇଥିଲେ ତଣ୍ଡ ଗଣିବା ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଏମସି । ସେହିପରି ସମାନ ପରିସ୍ଥିତି ପାଇଁ ବ୍ୟବସାୟୀକ ଅନୁଷ୍ଠାନକୁ ବି ତଣ୍ଡ ଗଣିବାକୁ ପଡିବ । ଭୁବନେଶ୍ୱରରେ ଡେଙ୍ଗୁ ପଜିଟିଭ ସଂଖ୍ୟା ଅଧିକ ଥିବାରୁ ବେଡ୍ ସଂଖ୍ୟା ବଢାଇବା ପାଇଁ ନିଷ୍ପତି ହୋଇଛି । ବିଏମସି ହସ୍ପିଟାଲ, ୟୁନିଟ-୪ ହସ୍ପିଟାଲ ,ପଟିଆ ଅର୍ବାନ ସିଏଚସି ଏବଂ ଡୁମୁଡୁମା ଅର୍ବାନ ସିଏଚସି ରେ ବେଡ୍ ସଂଖ୍ୟା ବୃଦ୍ଧି କରାଯିବ । ଏବଂ ଏଠାରେ ଡେଙ୍ଗୁ ରୋଗୀ ଆଡମିଟ୍ ହୋଇ ଚିକିତ୍ସିତ ହୋଇପାରିବେ । ଡେଙ୍ଗୁ ମୃତ୍ୟୁ ସଂଖ୍ୟା ବର୍ତମାନ ପର୍ଯ୍ୟନ୍ତ ସାମ୍ନାକୁ ଆସିନି । ସେପଟେ ଡେଙ୍ଗୁରେ କେତେ ଲୋକଙ୍କ ମୃତ୍ୟୁ ହେଲାଣି ତାକୁ ସାର୍ବଜନୀନ କରିବାକୁ ଦାବି କରିଛି ବିଜେପି ।