ପୁରୀ: ପୁଣି ଗଡିଲା ଶ୍ରୀଜିଉଙ୍କ ରଥ । ଗତକାଲି ଅଧାରେ ଅଟକି ରହିଥିଲା ମହାପ୍ରଭୁଙ୍କ ରଥ । ତେଣୁ ଆଜି ସକାଳୁ ସକାଳୁ ପୁଣି ଥରେ ଶ୍ରୀଜିଉଙ୍କ ରଥଟଣା ଆରମ୍ଭ ହୋଇଛି । ପ୍ରଥମେ ଗଡ଼ିଛି ବଡ ଠାକୁରଙ୍କ ତାଳଧ୍ୱଜ ରଥ । ଏହାପରେ ସେବୀ ସୁଭଦ୍ରାଙ୍କର ଦେବଦଳନ ଏବଂ ଶେଷରେ କଳା ଠାକୁରଙ୍କ ନନ୍ଦିଘୋଷ ରଥ ଗଡିଛି । ଆସନ୍ତାକାଲି ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାବିଗ୍ରହ । କାଲିଠାରୁ ଜନ୍ମବେଦୀରେ ଦର୍ଶନ ଦେବେ ମହାପ୍ରଭୁ ।
ଗତକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବଦିନାତ୍ମକ ରଥଯାତ୍ରାର ପ୍ରଥମ ଦିନରେ ରଥା ଟଣା ସରିଛି । ଗତକାଲି ଅପରାହ୍ନ ସାଢ଼େ ୪ରେ ଆରମ୍ଭ ହୋଇଥିଲା ରଥଟଣା । କିନ୍ତୁ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ବଳଗଣ୍ଡି ଛକ ନିକଟରେ ଅଟକି ଯାଇଥିଲା। ସେହିଭଳି ମରିଚିକୋଟ ଟାଉନ ଥାନା ନିକଟରେ ଅଟକିଥିଲା ମା’ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ମାତ୍ର ଅଳ୍ପ କିଛି ବାଟ ଯାଇ ସିଂହଦ୍ବାର ନିକଟରେ ହିଁ ଅଟକିଥିଲା ନନ୍ଦିଘୋଷ ରଥ। ଏହାପରେ ଆଜି ସକାଳୁ ସକାଳୁ ପୁଣି ଥରେ ରଥ ଟଣା ଆରମ୍ଭ ହୋଇଛି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା ଅନୁସାରେ, ଅବକାଶ ନୀତି ପରେ ଦ୍ୱିଦୀୟ ଦିନରେ ରଥଟଣା ହୋଇଛି । ସେପଟେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ମହାପ୍ରଭୁଙ୍କ ରଥ ଟାଣୁଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଅପେକ୍ଷା କରି ରହିଛନ୍ତି । ଏବେ ନୀଳକନ୍ଦର ଛାଡ଼ି ବଡ଼ଦାଣ୍ଡରେ ନବଦିନାତ୍ମକ ଲୀଳାଖେଳା କରୁଛନ୍ତି ବିଶ୍ବନିୟନ୍ତା । ଧରାପୃଷ୍ଠରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ହେଉଛି ।