ନୂଆଦିଲ୍ଳୀ : ଦେଶରେ ବନ୍ଦ ହେବାକୁ ଯାଉଛି ଡିଜେଲ ଚାଳିତ କାର । ଆଗାମୀ ୪ ବର୍ଷ ମଧ୍ୟରେ ଅର୍ଥାତ ୨୦୨୭ ସୁଦ୍ଧା ଦେଶରେ ଚାଲୁଥିବା ସମସ୍ତ ଡିଜେଲ ଗାଡ଼ି ବନ୍ଦ ହେବାକୁ ଯାଉଛି । ପେଟ୍ରୋଲିୟମ ମନ୍ତ୍ରଣାଳୟ ଦ୍ୱାରା ଗଠିତ ହୋଇଥିବା ଏକ କମିଟି କେନ୍ଦ୍ର ସରକାରଙ୍କୁ ଏହା ପରାମର୍ଶ ଦେଇଛି । ଏହି କମିଟି ସହରର ଜନସଂଖ୍ୟା ଆଧାରରେ ଡିଜେଲ ଗାଡ଼ି ଉପରେ ପ୍ରତିବନ୍ଧକ ଲଗାଇବାକୁ ଯୋଜନା ପ୍ରସ୍ତୁତ କରିଛି । ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରରେ ଲୋକମାନେ ଡିଜେଲ ଗାଡ଼ି ବଦଳରେ ଗ୍ୟାସ ଓ ବିଦ୍ୟୁତ ଚାଳିତ ଗାଡ଼ି ବ୍ୟବହାର କରନ୍ତୁ ବୋଲି କୁହାଯାଇଛି । ଡିଜେଲ ଗାଡ଼ି ଦ୍ୱାରା ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଥିବା ବେଳେ ଏ ଗୁଡ଼ିକୁ ବନ୍ଦ କରିଦେବାର ଆବଶ୍ୟକତା ରହିଛି ବୋଲି କମିଟି କହିଛି ।