ବ୍ୟୁରୋ: ବିବାହ ପାଇଁ ମନା କରିବାରୁ ଯୁବତୀଙ୍କୁ ହତ୍ୟା । ଏଭଳି ଘଟଣା ଘଟିଛି ରାଜସ୍ଥାନରେ । ରାଜସ୍ଥାନର ପ୍ରତାପଗଡ ଜିଲ୍ଲାରୁ ଏଭଳି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି । ଶନିବାର ଦିନ ପ୍ରତାପଗଡର ଦେବଗଡ ଅଞ୍ଚଳର ଖୁଣ୍ଟଗଡ ଗ୍ରାମ ନିକଟ ଜଙ୍ଗଲ ଅଞ୍ଚଳରେ ମହିଳାଙ୍କ ମୃତଦେହ ମିଳିବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ବିବାହ କରିବାକୁ ମନା କରିବାରୁ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ପ୍ରଥମେ ହତ୍ୟା କରାଯାଇଛି । ଆଉ ପରେ ମୃତଦେହକୁ ଗଛରେ ଟାଙ୍ଗିଦିଆଯାଇଛି । ଏହି ମାମଲାରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ପୁଲିସ ଅଧୀକ୍ଷକ ଅମିତ କୁମାର କହିଛନ୍ତି ଯେ ଅଭିଯୁକ୍ତ ଯୁବକ କୁଲଦୀପ ଗେହଲଟଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କୁ ପଚରାଉଚରା କରାଯାଉଛି। ସେ କହିଛନ୍ତି ଯେ ଶୁକ୍ରବାର ଦିନ ମୃତକଙ୍କ ମାମୁଁ ଧାମୋତର ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ଯେ ତାଙ୍କ ଦିବ୍ୟାଙ୍ଗ ଭାଣିଜୀ ଘରେ କାହାକୁ ନ ଜଣାଇ କୁଆଡେ ଚାଲିଯାଇଛନ୍ତି। ତେବେ ଶନିବାର ଦିନ ଦେବଗଡ ସର୍କଲ ପୁଲିସ ଷ୍ଟେସନର ଖୁଣ୍ଟଗଡ ଜଙ୍ଗଲରେ ଜଣେ ଯୁବତୀଙ୍କ ମୃତଦେହ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଏହା ସେହି ଯୁବତୀଙ୍କର ବୋଲି ଜଣାପଡିଥିଲା । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ କହିଥିଲେ ଯେ ଘଟଣା ଦିନ ସେ ଯୁବତୀଙ୍କୁ ଖୁଣ୍ଟଗଡ ଜଙ୍ଗଲକୁ ନେଇ ଯାଇଥିଲେ। ଯେଉଁଠାରେ ସେ ବିବାହ ପାଇଁ ଯୁବତୀଙ୍କ ଉପରେ ଚାପ ପକାଉଥିଲେ । ଯେତେବେଳେ ସେ ବିବାହ ପାଇଁ ମନା କରିଦେଲେ, ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏବଂ ପରେ ଏଥିରେ ଅଭିଯୁକ୍ତ ଜଣକ ରାଗିଯାଇ ନାବାଳିକାକୁ ଗଳା ଚିପି ହତ୍ୟା କରିଥିଲା ଏବଂ ପରେ ଶରୀରକୁ ଏକ ଗଛରେ ଟାଙ୍ଗି ଦେଇଥିଲା।