ଦୀଘା ଜଗନ୍ନାଥ ମନ୍ଦିର ‘ ଜଗନ୍ନାଥ ଧାମ’ ନୁହେଁ : ଗଜପତି ମହାରାଜା

0

ପୁରୀ: ଦୀଘା ଜଗନ୍ନାଥ ମନ୍ଦିର ‘ ଜଗନ୍ନାଥ ଧାମ’ ନୁହେଁ । ଏନେଇ ପ୍ରେସ ରିଲିଜ୍ ଜରିଆରେ ସ୍ପଷ୍ଟ କଲେ ଗଜପତି ମହାରାଜା । ସେ କହିଛନ୍ତି , “ପଶ୍ଚିମବଙ୍ଗ ପୂର୍ବ ମେଦିନାପୁରର ଦୀଘାଠାରେ ନବନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରକୁ ‘ ଜଗନ୍ନାଥ ଧାମ’ ବା ‘ଜଗନ୍ନାଥ ଧାମ ସାଂସ୍କୃତିକ କେନ୍ଦ୍ର’ ଭାବେ ନାମିତ କରାଯିବା ବିଷୟ ବିଭିନ୍ନ ଗଣମାଧ୍ୟମରେ ଆମେ ଜାଣିବାକୁ ପାଇଥିଲୁ । ଏ ସଂକ୍ରାନ୍ତରେ ଗତ ୩ ମଇ , ୨୦୨୫ ରେ ଏକ ଚିଠି ମାଧ୍ୟମରେ ମୁକ୍ତିମଣ୍ଡପ ପଣ୍ଡିତ ସଭାର ମତାମତ ଜାଣିବା ପାଇଁ ଚାହିଁଥିଲୁ । ଯାହାର ଉତ୍ତର ୪ମେ ୨୦୨୫ ରେ ଆମ୍ଭଙ୍କୁ ପ୍ରାପ୍ତ ହୋଇଛି । ସେଥିରେ ମୁକ୍ତ୍ିମଣ୍ଡପ ପଣ୍ଡିତ ସଭା ଉଲ୍ଲେଖ କରିଛନ୍ତି ଯେ “ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମୂଳପୀଠ ହେଉଛି ପୁରୁଷୋତ୍ତମ କ୍ଷେତ୍ର । ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଚତୁର୍ଦ୍ଧାମୂର୍ତ୍ତୀ ବିଗ୍ରହଙ୍କର ଶାସ୍ତ୍ରିୟ ଅନୁସାରେ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ତାହା ‘ଜଗନ୍ନାଥ ଧାମ’, ‘ ଶ୍ରୀପୁରୁଷୋତ୍ତମ କ୍ଷେତ୍ର’, ‘ ଶ୍ରୀକ୍ଷେତ୍ର’, କିମ୍ବା , ‘ନୀଳାଚଳ ଧାମ’ ଭାବରେ ନାମିତ କରାଯାଇପାରିବ ନାହିଁ । ତେଣୁ ଦୀଘାରେ କରାଯାଇଥିବା ଜଗନ୍ନାଥ ମନ୍ଦିରକୁ କିମ୍ବା ସ୍ଥାନକୁ ଶ୍ରୀ ଜଗନ୍ନାଥ ଧାମ , ଶ୍ରୀକ୍ଷେତ୍ର , ପୁରୁଷୋତ୍ତମ କ୍ଷେତ୍ର କିମ୍ବା ନୀଳାଚଳ ଧାମ ନାମରେ ନାମିତ କରାଯାଇପାରିବ ନାହିଁ” । ମୁକ୍ତିମଣ୍ଡପ ପଣ୍ଡିତ ସଭାକୁ ଆମର ଚିଠି ଏବଂ ସେଠାରୁ ପ୍ରାପ୍ତ ଉତ୍ତରକୁ ଏଠାରେ ପରିଶିଷ୍ଟ ୧ ଏବଂ ୨ ଭାବେ ସଂଲଗ୍ନ କରାଯାଇଛି ।