ଆତଙ୍କୀ ଠିକଣା ଉପରେ ଭାରତୀୟ ବାୟୁସେନାର ଘମାଘୋଟ ଆକ୍ରମଣରେ ଆତଙ୍କୀଙ୍କ ଆଡ୍ଡା ଛାରଖାର । ସେଥିପାଇଁ ବଳିଦାନ ଦେଇଛନ୍ତି ଭାରତୀୟ ଯବାନ । ଏମିତି ଜଣେ ଯବାନ ଯିଏ ‘ଅପରେସନ ସିନ୍ଦୂର’ରେ ସହିଦ ହୋଇଯାଇଛନ୍ତି । ସୀମାରେ କେବଳ ଭାରତୀୟ ସେନା ନୁହେଁ ପାକିସ୍ତାନ ବି ବଳ ପ୍ରୟୋଗ କରିଛି । ଗୁଳିମାଡ ସହ ମିସାଇଲ ମାଡ ହେଉଛି । ପାକିସ୍ତାନର ପାଲଟା ଗୁଳି ମାଡରେ ସହିଦ ହୋଇଛନ୍ତି ହରିୟାଣା ପଲୱଲ ଜିଲ୍ଲା ମୋହମ୍ମଦପୁର ଗାଁର ବାସିନ୍ଦା ଯବାନ୍ ଲାନ୍ସନାୟକ ଦିନେଶ ଶର୍ମା । ତାଙ୍କର ସହିଦ ହେବା ଖବରରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସହିଦ ଦିନେଶଙ୍କ ପାର୍ଥିବ ଶରୀର ତାଙ୍କ ଗାଁରେ ପହଞ୍ଚିବାପରେ ତାଙ୍କ ଶେଷ ଦର୍ଶନ କରିବା ପାଇଁ ଆଖାପାଖ ଲୋକଙ୍କ ସହ ନେତା,ମନ୍ତ୍ରୀ ପହଞ୍ଚିଛନ୍ତି ।
ସେପଟେ ଦିନେଶଙ୍କ ବାପା ଭାରି ଗର୍ବିତ । ସହୀଦ ହେବା ଖବର ଯେତିକି ମର୍ମାହତ ସେତିକି ଗର୍ବ ଆଣିଦେଇଛି । ଅପରେସନକୁ ଯିବା ପୂର୍ବ ରାତି ପାଖାପାଖି ସାଢେ ୧୦ଟାରେ ଦିନେଶ ତାଙ୍କ ଭାଇଙ୍କ ସହ କଥା ହୋଇଥିଲେ । ଘରର ସମସ୍ତଙ୍କ କଥା ପଚାରି ବୁଝିଥିଲେ । ପର ଦିନ ଅପରାହ୍ନରେ ବି ଦିନେଶ ଫୋନ୍ କରିଥିଲେ । କିନ୍ତୁ କାର୍ଯ୍ୟବ୍ୟସ୍ତତା କାରଣରୁ ଦିନେଶଙ୍କ ଫୋନ ରିସିଭ କରିପାରି ନଥିଲେ ସାନଭାଇ । ଏହା ପରେ ପରେ ଦିନେଶଙ୍କ ସହିଦ ହେବାର ଖବର ଘର ଲୋକେ ଜାଣିବାକୁ ପାଇଥିଲେ ।