ଗଞ୍ଜାମ:ଗଞ୍ଜାମ ଜିଲ୍ଲା ହିଂଜିଲିକାଟୁ ପଞ୍ଚାୟତ ସମିତିର ସମ୍ମିଳନୀ କକ୍ଷରେ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ମକଡ଼୍ରିଲ ଅନୁଷ୍ଠିତ ହୋଇଯାଇଛି।ବାତ୍ୟା ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ଏବଂ ବନ୍ୟା ସମୟରେ କିପରି ଭାବରେ ବନ୍ୟାରୁ ଉଦ୍ଧାର କରାଯିବ ସେବିଷୟରେ ସଚେତନତା ବାର୍ତା ପ୍ରଦାନ କରିବା ସହ ସାମୁହିକ ଅଭ୍ୟାସ କରାଯାଇଥିଲା ।ବନ୍ୟାରୁ କିପରି ନିଜକୁ ରକ୍ଷା କରିବେ ସେଥିପାଇଁ ହିଂଜିଲିକାଟୁ ବ୍ଲକରେ ୬ ଗୋଟି ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି। ବାତ୍ୟା ହେଲେ ଗ୍ରାମବାସୀ ଏହି ଆଶ୍ରୟସ୍ଥଳ ରେ ଆଶ୍ରୟ ନେଇଥାନ୍ତି।
ବାତ୍ୟା ଓ ବନ୍ୟା ଭଳି ବିପର୍ଯ୍ୟୟ ଆସିବାର ଯଥେଷ୍ଟ ପୂର୍ବରୁ ଓ ପରେ କି ପ୍ରକାର କାର୍ୟ୍ୟ କରିବାକୁ ପଡ଼ିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ବିଶେଷ କରି ବାର୍ଷିକ ସଚେତନତା,ସ୍ଥାନାନ୍ତର ପ୍ରକ୍ରିୟା, ସର୍ଚ ଅପରେସନ୍, ଉଦ୍ଧାର କାର୍ଯ୍ୟ କରିବା ସହିତ ପ୍ରାଥମିକ ଚିକିତ୍ସା ସହାୟତା ,ଆନୁସାଙ୍ଗିକ ଯନ୍ତ୍ରପାତି ସଜାଗ ରଖିବା ନେଇ ସଚେତନ କରିଛନ୍ତି ।
ସେହିପରି ରିଲିଫ ପ୍ରଦାନ ସମ୍ପର୍କରେ ପଂଚାୟତ ପ୍ରତିନିଧି, ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଅଗ୍ନିଶମ କର୍ମଚାରୀମାନେ ଗ୍ୟାସ ସିଲିଣ୍ଡର ନିଆଁ ରୁ ରକ୍ଷା ପାଇବାର ଉପାୟ ଏବଂ ସର୍ବୋପରେ ଧର୍ୟ୍ୟର ସହିତ କିପରି ବିପର୍ଯ୍ୟୟକୁ ମୁକାବିଲା କରିବା ସେ ସମ୍ପର୍କରେ ବୁଝାଇଥିଲେ । ବାତ୍ୟା ଓ ବନ୍ୟା ଆସିଲେ ବାତ୍ୟା ଆଶ୍ରୟସ୍ଥଳରେ ପାନୀୟ ଜଳ, ଆଲୋକିକରଣ, ପ୍ରାଥମିକ ଚିକିତ୍ସା ସୁବିଧା ତୁରନ୍ତ ଉପଲବ୍ଧ କରାଇବା ପାଇଁ ପଂଚାୟତ ପ୍ରତିନିଧି ମାନଙ୍କୁ ଆହ୍ୱାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ବିଡ଼ିଓ ସୁବ୍ରତ କୁମାର ଜେନା, ହିଂଜିଲିକାଟୁ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ଅତିରିକ୍ତ ତହସିଲଦାର ସୁନୀଲ କୁମାର ପ୍ରଧାନ ସହିତ ଅତିରିକ୍ତ ବିଡ଼ିଓ ଅରୁଣ କୁମାର ପ୍ରଧାନ,CDPO ଗାଙ୍ଗୀ ସୁବୁଦ୍ଧି,ସମସ୍ତ ଲାଇନ ବିଭାଗର ଅଧିକାରୀ ଓ କ୍ଷେତ୍ର କର୍ମଚାରୀ ଉପସ୍ଥିତ ଥିଲେ।