ହିନ୍ଦୋଳ(ମହାଭାରତ) : ହିନ୍ଦୋଳ ଏନ୍.ଏ .ସି ରେ ଥିବା ୩ ଟି ପ୍ରବେଶ ପଥ ମଧ୍ୟରୁ ନରସିଂହପୁର-ହିନ୍ଦୋଳ ପ୍ରବେଶ ପଥଟି ଆରମ୍ଭ ହେଉ ହେଉ ମୁଖ୍ୟ ରାସ୍ତାକୁ ଲାଗି ଥିବା ଦେଶୀମହୁଲି ଭାଟିର ଅସହ୍ୟ ଗନ୍ଧରେ ପଥଚାରୀ ମାନେ ଅତିଷ୍ଠ ହେଉଥିବାର ଦେଖିବାକୁ ମିଳିଛି। ଏହି ମହୁଲି ଭାଟିଠାରୁ ମାତ୍ର ୧୦୦ ମିଟର ମଧ୍ୟରେ ହିନ୍ଦୋଳ ଏସ.ଡି.ପି.ଓ କାର୍ଯ୍ୟାଳୟ,ହିନ୍ଦୋଳ ବନାଞ୍ଚଳ କାର୍ଯ୍ୟାଳୟ,ହିନ୍ଦୋଳ ଉପ କାରାଗାର ଏବଂ ବିଜୁ ପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମ୍ ଅବସ୍ଥିତ। ଏହି ଭାଟିଠାରୁ ୧୦୦ ମିଟର ଦୂରରେ ଥିବା ବିଜୁ ପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମ୍ ଅବସ୍ଥିତ।ପ୍ରତିଦିନ ସକାଳେ ଶହ ଶହ ଲୋକ ଏହି ରାସ୍ତା ଦେଇ ମର୍ଣ୍ଣିଂୱାକ ଏବଂ ସ୍ଵାସ୍ଥ୍ୟ ସାଧନ ନିମନ୍ତେ ବ୍ୟାୟମ କରିବାକୁ ଯାଇଥାନ୍ତି।
ମାତ୍ର ଏଠାକାର ଦୁର୍ଗନ୍ଧମୟ ଦୂଷିତ ପରିବେଶ ସମସ୍ତଙ୍କ ମନରେ କ୍ଷୋଭ ସୃଷ୍ଟି କରୁଥିବାର ଦେଖିବାକୁ ମିଳିଛି।ସାଧାରଣ ଲୋକଙ୍କ କ୍ଷୋଭ ପ୍ରକାଶ ସତ୍ତ୍ୱେ ଏହି ଦେଶୀ ମଦ ଭାଟିକୁ ଏଠାରୁ ଉଚ୍ଛେଦ କରିବା ନେଇ ସ୍ଥାନୀୟ ପ୍ରଶାସନ କୌଣସି ପ୍ରକାରର ତତ୍ପରତା ପ୍ରକାଶ କରୁନାହିଁ। ଏହି ଦେଶୀ ମଦ ଭାଟି ହିନ୍ଦୋଳ ଏନ୍.ଏ .ସି ପରିଧି ମଧ୍ୟରେ ଆସୁଥିବା ବେଳେ ପରିବେଶ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ନେଇ ଏନ୍.ଏ.ସି ର କର୍ତ୍ତୃପକ୍ଷ ମଧ୍ୟ କୌଣସି ପ୍ରକାରର ଆଗ୍ରହ ପ୍ରକାଶ କରୁନାହାନ୍ତି।
ଦେଶୀ ମଦ ଭାଟି ବ୍ୟବସାୟୀଙ୍କ ଠାରୁ ମୋଟା ଅଙ୍କର ଲାଞ୍ଚ ନେଇ ଏହିଭଳି ପ୍ରାଶାସନିକ ଉଦାରତା ପୋଷଣ କରାଯାଉଛି ବୋଲି ସାଧାରଣ ଲୋକେ ଅଭିଯୋଗ କରୁଛନ୍ତି।ଯଥାଶୀଘ୍ର ଏହି ଭାଟିକୁ ଜନଗହଳିଠାରୁ ଦୂରକୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବାକୁ ହିନ୍ଦୋଳବାସୀ ଦାବୀ କରିଛନ୍ତି। ବର୍ତ୍ତମାନ ଏହି ସମସ୍ୟା ହିନ୍ଦୋଳ ଏନ୍.ଏ .ସି ର ଲଜ୍ଜା ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଜୋର୍ ଧରିଛି।