ହାଇହିଲ୍ ସ୍ୟାଣ୍ଡେଲ୍ କିଣିଦେଲେ ନାହିଁ ସ୍ୱାମୀ : ଥାନାକୁ ଗଲେ ସ୍ତ୍ରୀ….

0

ବ୍ୟୁରୋ : ହିନ୍ଦୁ ରୀତିନୀତି ଅନୁସାରେ ସ୍ୱାମୀ ସ୍ତ୍ରୀର ସମ୍ପର୍କ ସାତ ଜନ୍ମ ପାଇଁ ଗଢାହୁଏ । କିନ୍ତୁ ଆଜିର ସମାଜରେ ବିବାହ ଭଳି ପବିତ୍ର ବନ୍ଧନ ଶସ୍ତା ହୋଇଯାଇଛି । ଯେଉଁଥିପାଇଁ ଅବିବାହିତ ଯୁବଗୋଷ୍ଠୀଙ୍କ ବିବାହ ଉପରୁ ହିଁ ଭରସା ଧିରେ ଧିରେ କମିବାକୁ ଲାଗିଲାଣି । ସମ୍ପର୍କ ଏମିତି ମୋଡରେ ପହଞ୍ଚିଛି ଯେ, କିଏ ତେଲ ପାଇଁ ଝଗଡା କରୁଛନ୍ତି ତ କେହି ତରକାରୀ ପାଇଁ ଥାନାର ଦ୍ବାରସ୍ଥ ହେଉଛନ୍ତି । ସେମିତି ଏକ ଘଟଣା ଉତ୍ତରପ୍ରଦେଶରେ ହୋଇଛି । ହାଇହିଲ୍ ସ୍ୟାଣ୍ଡେଲ୍ କିଣିଦେଲେନି ସ୍ବାମୀ ଏହି କଥାକୁ ନେଇ ସ୍ବାମୀ ସ୍ତ୍ରୀଙ୍କ ଭିତର ଝଗଡ଼ା ଥାନାରେ ପହଞ୍ଚିଲା । ସ୍ୟାଣ୍ଡେଲ୍ ପାଇଁ ସ୍ବାମୀଙ୍କୁ ବାରମ୍ବାର କହିବା ସତ୍ତ୍ବେ ଇଚ୍ଛା ପୂରଣ ନ କରିବାରୁ ପ୍ରଥମେ ଝଗଡ଼ା ପରେ ମାରପିଟ୍ ଆଉ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହେଲେ ସ୍ତ୍ରୀ ।


ସୂଚନା ଅନୁସାରେ , ଆଗ୍ରାର ଏହି ଦମ୍ପତିଙ୍କ ବିବାହ ୨୦୨୪ ମସିହାରେ ହିନ୍ଦୁ ରୀତିନୀତିରେ ସମ୍ପନ୍ନ ହୋଇଥିଲା । ଯୁବତୀଙ୍କୁ ହାଇହିଲ୍ ପିନ୍ଧିବାର ସଉକ ଥିଲା । ବିବାହ ପରେ ସ୍ବାମୀଙ୍କୁ ଏନେଇ ସେ କହିଥିଲେ ଏବଂ ସ୍ତ୍ରୀଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ସ୍ବାମୀ ମଧ୍ୟ ହାଇହିଲର ସ୍ୟାଣ୍ଡେଲ୍ ନେଇ ଆସିଥିଲେ ।

ହେଲେ ହିଲ୍ ପିନ୍ଧିବା ଯୋଗୁଁ ମହିଳାଜଣଙ୍କ ଥରେ ପଡିଯାଇଥିଲେ । ସ୍ତ୍ରୀ ପଡିଯିବା କାରଣରୁ ସେବେଠାରୁ ହାଇ ହିଲ୍ ପିନ୍ଧିବାକୁ ସ୍ୱାମୀ ବାରଣ କରିଥିଲେ । କିନ୍ତୁ ପଡ଼ିବା ସତ୍ତ୍ବେ ସ୍ତ୍ରୀଙ୍କ ମୁଣ୍ଡରେ ବୁଦ୍ଧି ପଶିନଥିଲା ।

ବାରମ୍ବାର ହିଲ୍ କୁ ନେଇ ସେ ସ୍ବାମୀଙ୍କ ସହ ଝଗଡ଼ା କରିଆସୁଥିଲେ । ହେଲେ ଏହି “ଝିମିଟି ଖେଳରୁ ମହାଭାରତ” ଭଳି କଳହ ଉଗ୍ର ରୂପ ନେଲା । ଝଗଡା ରୁ ମାର୍ପିଟ୍ ଭଳି ସମସ୍ୟା ଉପୁଜିଥିଲା । ମହିଳା ଘର ଛାଡ଼ି ବାପଘରକୁ ଚାଲି ଯାଇଥିଲେ । ସେ ଏକ ମାସ ବାପଘରେ ରହୁଥିବା ବେଳେ ଥାନାର ଦ୍ବାରସ୍ଥ ହୋଇଥିଲେ ।


ମାମଲା ପରିବାର ପରାମର୍ଶ କେନ୍ଦ୍ରରେ ପହଂଚିବା ପରେ ଦୁହିଁଙ୍କ କାଉନସିଲିଂ ଆରମ୍ଭ କରାଯାଇଛି । କାଉନସିଲର୍ ଡା.ସତିଶ୍ ଖୀରବାର କୁହନ୍ତି , ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ସାମାନ୍ୟ କଥାକୁ ନେଇ ହୋଇଛି । କଥାକୁ ବାରମ୍ବାର ଉଠାଇବା ଦ୍ବାରା ଝଗଡ଼ା ,ମାରପିଟ୍ ଏବଂ ଛାଡ଼ପତ୍ର ଭଳି ଚରମ ପଦକ୍ଷେପ ନେବାର କଥା ଉଠିଛି । ବର୍ତ୍ତମାନ ଆମେ ଦମ୍ପତିଙ୍କୁ କାଉନସିଲିଂ କରି ବୁଝାଇସାରିଛୁ । ଦୁହିଁଙ୍କ ମଧ୍ୟରେ ରାଜିନାମା ସ୍ବୀକାର କରାଯାଇଛି । ଏଭଳି ଅନେକ ମାମଲା ସାମ୍ନାକୁ ଆସୁଛି ଯାହା ଆଶ୍ଚର୍ଯ୍ୟକର ଓ ହାସ୍ୟାସ୍ପଦ ହେଲେ ମଧ୍ୟ ସତ । ତେବେ ବର୍ତ୍ତମାନର ସମାଜରେ ଯାହା ଦେଖାଯାଉଛି ସାମାନ୍ୟ କଥାରୁ ଛାଡପତ୍ର ଭଳି ଚରମ ପଦକ୍ଷେପ ନେବାକୁ ସ୍ୱାମୀ ସ୍ତ୍ରୀ ପଛ ଘୁଞ୍ଚା ଦେଉନାହାଁନ୍ତି ।