କଲକାତା : ପଶ୍ଚିମବଙ୍ଗର ରାଜଧାନୀ କଲକାତାର ଆରଜି କର ହସ୍ପିଟାଲରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସୋମବାର ଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ। ଦିନ ୨ଟା ୪୫ ସମୟରେ ସିଆଲଦା କୋର୍ଟ ନିଜ ରାୟ ଶୁଣାଇ ଦୋଷୀ ସଞ୍ଜୟ ରାୟକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ମୃତ୍ୟୁ ପର୍ଯ୍ୟନ୍ତ ଜେଲ୍ରେ ରହିବ ସଞ୍ଜୟ। ଏଥିସହ ଦୋଷୀ ଉପରେ ୫୦ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି ଅଦାଲତ। ମାମଲାରେ ପୀଡ଼ିତାଙ୍କ ପରିବାର ସହ ସିବିଆଇ ଫାଶୀ ଦଣ୍ଡ ଦାବି କରିଥିବାବେଳେ ଏହା ବିରଳରୁ ଅତି ବିରଳତମ ମାମଲା ନୁହେଁ ବୋଲି କହି ସିଆଲଦା କୋର୍ଟର ବିଚାରପତି ଅନିର୍ବନ୍ ଦାସ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ପୀଡ଼ିତାଙ୍କ ପରିବାରକୁ ତାଙ୍କ ମୃତ୍ୟୁ ପାଇଁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ଅତିରିକ୍ତ ୭ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ରାଜ୍ୟକୁ ନିର୍ଦେଶ ଦେଇଛନ୍ତି କୋର୍ଟ।