ୱାୟନାଡ଼ : ଲୁହ ଆଉ କୋହରେ ଭିଜୁଛି କେରଳ । ଚାରିଆଡ଼େ ବିଛେଇ ହୋଇ ପଡ଼ିଛି ମୃତଦେହ । ଉଦ୍ଧାରକାରୀ ଦଳମାନେ ଧ୍ୱଂସସ୍ତୁତ ତଳୁ ଖଣ୍ଡବିଖଣ୍ଡିତ ମୃତ ଶରୀର ଉଦ୍ଧାର କରି କରି ଥକିଗଲେଣି, ତଥାପି ସରୁନି ମାଟି ତଳୁ ଜୀବନ ଖୋଜା । ୱାୟନାଡ଼ର ମୁଣ୍ଡାକ୍କାଇରେ ହୋଇଥିବା ଭୟଙ୍କର ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୩୦୦ ମୁହାଁ ପହଞ୍ଚିଲାଣି । ୨୨୫ ଜଣ ଏବେ ବି ନିଖୋଜ ଅଛନ୍ତି, ଏବେ ସୁଦ୍ଧା ୧୬୭ ମର ଶରୀରର ବ୍ୟବଚ୍ଛେଦ ଶେଷ ହୋଇଛି । ତେବେ ସ୍ଥାନୀୟ ହସ୍ପିଟାଲର ଜଣେ ମହିଳା ଡାକ୍ତର ନିଜର ପରିଚୟ ଗୋପନ ରଖି ନିଜର ବେଦନା ବଖାଣିଛନ୍ତି ।
ଡାକ୍ତର ହୋଇଥିଲେ ପୋଷ୍ଟମୋଟର୍ମ କରିବା ବେଳେ ହାତ ଥରି ଉଠୁଛି । ଆଗରୁ ଅନେକ ଅଭିଜ୍ଞତା ଥିଲେ ସୁଦ୍ଧା ଖଣ୍ଡବିଖଣ୍ଡିତ ଶବ ଗୁଡ଼ିକ ଦେଖି ଦେହ ଶୀତେଇ ଯାଉଛି । ସେ କହିଛନ୍ତି, ‘ପ୍ରତିଦିନ ମୁଁ ତିନିରୁ ଚାରିଟି ଶବର ବ୍ୟବଚ୍ଛେଦ କରିଥାଏ। ଅନେକ ବର୍ଷ ହେବ ଏହି କାମ କରି ଆସିଛି। କିନ୍ତୁ ଭୂସ୍ଖଳନରେ ମୃତ୍ୟୁ ହୋଇଥିବା ଲୋକଙ୍କ ବ୍ୟବଚ୍ଛେଦ ମୋତେ ଦୋହଲାଇ ଦେଇଛି। ମୃତଦେହର ଏମିତି ଅବସ୍ଥା କେବେ ଦେଖି ନଥିଲି। ମୃତଦେହଗୁଡ଼ିକ ମଧ୍ୟରେ ବର୍ଷ ଦୁଇବର୍ଷର ଶିଶୁ ବି ଅଛନ୍ତି ।
ହସ୍ପିଟାଲ ଛାଡ଼ି କୁଆଡ଼େ ପଳାଇ ଯିବା ପାଇଁ ଇଚ୍ଛା ହେଉଛି । ହେଲେ ଅନ୍ୟ ଉପାୟ ନାହିଁ । କର୍ତ୍ତବ୍ୟ କରିବା ପାଇଁ ପଡ଼ିବ । ଛାତିକୁ ପଥର କରି ଭୂସ୍ଖଳନରେ ମୃତ୍ୟୁ ହୋଇଥିବା ଲୋକଙ୍କ ବ୍ୟବଚ୍ଛେଦ କରୁଛି। ଭୂସ୍ଖଳନ ହେବା ଦିନ ଠାରୁ ମୁଁ ଭୋକଶୋଷ ଭୁଲି ଯାଇଛି। ମୃତଦେହଗୁଡ଼ିକର ଦୃଶ୍ୟ ଆଖି ସାମ୍ନାରେ ନାଚି ଯାଉଛି। କାହା ସହିତ କଥା ନହୋଇ ଏକାନ୍ତରେ ବସି ରହିବାକୁ ଇଚ୍ଛା ହେଉଛି।’