୨୦୨୫ କ୍ୟାଲେଣ୍ଡର ସହ ମିଶୁଛି ୧୯୪୧ ମସିହା, ଅଶୁଭ ବର୍ଷ ହୋଇପାରେ ୨୦୨୫ !

0

ଭୁବନେଶ୍ୱର: ବଦଳୁଛି ଦିନ ପରେ ଦିନ, ରାତି ପରେ ରାତି  । ଆଉ ବଦଳୁଛି ଗୋଟେ ପରେ ଗୋଟେ ବର୍ଷ  । ବର୍ଷ ବଦଳିବା ସହ ଓଲଟୁଛି କ୍ୟାଲେଣ୍ଡର  । ଇତି ମଧ୍ୟରେ କେତେ ଘଟଣା କେତେ ଦୁର୍ଘଟଣା ଦେଖିଲାଣି ମଣିଷ  । କିନ୍ତୁ ବେଳକୁ ବେଳ ପରିସ୍ଥିତି ଏପରି ହୋଇଯାଉଛ ଯାହାକୁ ଶୁଣିବା ବେଳେକୁ ଦେହ ଶିହରି ଉଠୁଛି  । ଆଉ ଏହାରି ଭିତରେ ଓଲଟୁଛି ପୁରୁଣା ପୃଷ୍ଠା  । କଡ ଲେଉଟାଉଛି ଇତିହାସ  । ଯାହାର ସଂକେତ ଦେଉଛି ସମୟ ଚକ୍ର  । ହଁ ଆଜ୍ଞା ଆମେ ଏମିତି କହିବାର କାରଣ ହେଉଛି ଗତ କିଛି ଦିନ ଧରି ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ପୁରୁଣା କ୍ୟାଲେଣ୍ଡର ୧୯୪୧  । କୁହାଯାଉଛି ଯେ ୧୯୪୧ର ତିଥି ବାର ନକ୍ଷତ୍ର ସବୁ କିଛି ମିଶିଯାଉଛି ୨୦୨୫ ସହ  । ଆଉ ଏହି କଥା ଭାବି ଲୋକେ ଭୟ କରିବା ଆରମ୍ଭ କରି ସାରିଲେଣି  । କାରଣ କୁହାଯାଉଛି ଯେ ୧୯୪୧ ଥିଲା ଇତିହାସର ସବୁଠାରୁ ଖରାପ ବର୍ଷ  । ଯେଉଁ ବର୍ଷ କୋଟି କୋଟି ଲୋକ ପ୍ରାଣ ହରାଇଥିଲେ ଆଉ ଭାରତରେ ବୋହିଥିଲା ରକ୍ତର ନଇ  ।

୧୯୪୧ ମସିହାର କ୍ୟାଲେଣ୍ଡର ଓ ୨୦୨୫ ମସିହାର କ୍ୟାଲେଣ୍ଡର ଭିତରେ ରହିଛି ସମାନତା । ଏହି ଦୁଇଟି ମସିହାରେ ତାରିଖ, ସପ୍ତାହ ଏବଂ ବାର ପୁରା ସମାନ ରହିଛି । ସବୁଠାରୁ ଆଶ୍ଚର୍ୟ୍ୟ କଥା ହେଉଛି ଏହି ଦୁଇଟି ମାସରେ ଘଟିଥିବା ଭୟଙ୍କର ଘଟଣାର ପୁନରାବୃତ୍ତି ହେଉଛି । ଅଭିଶପ୍ତ ବର୍ଷ ଥିଲା ୧୯୪୧ । କାରଣ ୧୯୪୧ରେ ହିଁ ଭୟଙ୍କର ଦ୍ବିତୀୟ ବିଶ୍ବଯୁଦ୍ଧ ହୋଇଥିଲା । ସମାନ ଭାବେ ୨୦୨୫ର ବି କ୍ୟାଲେଣ୍ଡର ୧୯୪୧ ସହିତ ସମାନ ରହିଛି, ଯାହାକୁ ନେଇ ବଢ଼ୁଛି ଆଶଙ୍କା । ୨୦୨୫ ବର୍ଷର ଗତ ଛଅ ମାସ ମଧ୍ୟରେ ଦେଶ ଅନେକ ଭୟଙ୍କର ସ୍ଥିତି ଦେଖି ସାରିଲାଣି  । ମହାକୁମ୍ଭ ଦଳାଚକଟା, କାଶ୍ମୀର ଆତଙ୍କବାଦୀ ଆକ୍ରମଣ, ଅପରେସନ ସିନ୍ଦୂର ଯୋଗୁଁ ଯୁଦ୍ଧ ଭଳି ପରିସ୍ଥିତି ଏବଂ ଜୁନ ଆରମ୍ଭରେ ଅହମ୍ମଦାବାଦ ବିମାନ ଦୁର୍ଘଟଣା । ଏସବୁ ଘଟଣା ସାରା ବିଶ୍ବକୁ ଦୋହଲାଇ ଦେଇଛି । ଏହାରି ଭିତରେ ଋଷ-ୟୁକ୍ରେନ୍ ଯୁଦ୍ଧ ତଥା ଇରାନ୍- ଇସ୍ରାଏଲ ଯୁଦ୍ଧର ତାଣ୍ଡବ ବିଶ୍ବବାସୀଙ୍କୁ ଥରହର କରୁଛି ।

ଉଭୟ ବର୍ଷର ପ୍ରତ୍ୟେକ ତାରିଖ ସପ୍ତାହର ସମାନ ଦିନରେ ପଡ଼ିଥାଏ । ଏହା ମାଟ୍ରିକ୍ସରେ ଥରକେ ଘଟିଥିବା କୌଣସି ତ୍ରୁଟି ନୁହେଁ। କାରଣ ଏହା ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଅନୁସାରେ ରହିଛି । ଗ୍ରେଗୋରୀୟ କ୍ୟାଲେଣ୍ଡର ଅନୁସାରେ, ପୃଥିବୀର କକ୍ଷପଥ ସହିତ ସମୟକୁ ସମନ୍ବୟ ରଖିବା ପାଇଁ ପ୍ରତି ଚାରି ବର୍ଷରେ ଏକ ଅତିରିକ୍ତ ଦିନ ଯୋଡ଼ାଯାଏ। ଏହି ବ୍ୟବସ୍ଥା ଯୋଗୁଁ କିଛି ବର୍ଷରେ ଦିନ-ତାରିଖର ପୁନରାବୃତ୍ତି ହୁଏ, ଯେପରି ୨୦୨୫ ଓ ୧୯୪୧ରେ ଦେଖାଯାଉଛି। କିନ୍ତୁ କୌଣସି ଦୁଇଟି ବର୍ଷରେ ଏକାଭଳି ଘଟଣା ଘଟିବାର ନା କୌଣସି ବୈଜ୍ଞାନିକ କାରଣ ଅଛି ନା ଅଛି ବୈଜ୍ଞାନିକ ତର୍କ । ପୁରୁଣା ବର୍ଷ ଗୁଡ଼ିକରେ ଘଟିଥିବା ଘଟଣାଗୁଡ଼ିକ ଯେ ମେଳ ଖାଉଥିବା ପରବର୍ତ୍ତୀ ବର୍ଷରେ ଘଟିବ ତାହା କୁହାଯାଇପାରିବ ନାହିଁ । ଯଦି ଏଭଳି ହୁଏ ତାହା କେବଳ ଏକ ସଂଯୋଗ ମାତ୍ର, ଆଉ କିଛି ନୁହେଁ ।