(ଶିଳାସ୍ମିତା ରାୟ) ଭୁବନେଶ୍ୱର: ପାକିସ୍ତାନ ଏବେ ଅର୍ଥାଭାବ ଦେଇ ଗତିକରୁଛି । କ୍ଷୀର ଲିଟର ପିଛା ୧୪୦ ଟଙ୍କା ହୋଇଥିବା ବେଳେ ମଟନ ୧ ହଜାର ଟଙ୍କା, ଫଳ ପନିପରିବାର ଦର ମଧ୍ୟ ଆକାଶ ଛୁଆଁ ହୋଇଛି । ଲୋକେ ଦିନରେ ଗୋଟିଏ ବେଳା ଖାଦ୍ୟ ସଂଗ୍ରହ କରିବାକୁ ନାକେଦମ ହେଉଛନ୍ତି । ଏହି ସ୍ଥିତିରୁ ମୁକୁଳିବା ପାଇଁ ପାକିସ୍ତାନ ପାଇଁ ସାହାରା ହୋଇଛି ଗଧ । ବିଶ୍ୱର ତୃତୀୟ ଗଧ ବହୁଳ ରାଷ୍ଟ୍ର ଭାବେ ପରିଚିତ ପାକିସ୍ତାନରେ ଏବେ ଚାଲିଛି ଗଧମେଳା । ପାକିସ୍ତାନର ହାଇଦ୍ରାବଦ ସହର ଠାରୁ ୭୦ କିମି ଦୂର ବାଦିନ ଜିଲ୍ଲାରେ ଲାଗିଛି ଗଧମେଳା । ମେଳାରେ ଗଧ ବିକ୍ରି ପାଇଁ କରାଚୀ, ବାଦିନ, ସିନେ୍ଧ ସମେତ ଅନେକ ସ୍ଥାନରୁ ବ୍ୟବସାୟୀଙ୍କ ଭିଡ ଲାଗିଛି । ମେଳାରେ ବଭିନ୍ନ ରଙ୍ଗର ଗଧ ଦେଖିବାକୁ ମିଳିଛି । ତେବେ ଗଧଙ୍କ ନାଁକୁ ନେଇ ଚାଲିଛି ଚର୍ଚ୍ଚା । ଏକେ-୪୭, ମାଧୁରୀ, ରକେଟ, ପରମାଣୁ, ରକେଟ ଲଂଚର ନାମରେ ଥିବା ଗଧ ବିକ୍ରି ହେଉଛି।
ଏହି ମେଳାରେ ୨୦ ହଜାରୁ ୨ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଗଧ ବିକ୍ରି ହେଉଛି । ପାଖାପାଖି ୪ ଏକର ପରିମିତ ବ୍ୟାସରେ ଗଧ ମେଳା ଆୟୋଜନ କରିଛି ପାକିସ୍ତାନ । ଚଳିତ ବର୍ଷ ବି ପ୍ରିୟ ବନ୍ଧୁ ଚୀନ, ପାକକୁ ଋଣ ପ୍ରଦାନ କରିବା ପାଇଁ ଘୋଷଣା କରିଛି । ଆଉ ତା’ର ପ୍ରତିବଦଳରେ ଇମ୍ରାନ୍ ସରକାର ଚୀନକୁ ଗଧ ରପ୍ତାନୀ କରିବେ । ପାକିସ୍ତାନ ଠାରୁ ଚୀନ ସବୁଠାରୁ ଅଧିକ ଗଧ କିଣେ । ଚୀନରେ ଗଧର ଛାଲର ଖୁବ ଚାହିଦା ରହିଛି । ଗଧ ଛାଲରେ ଚୀନରେ ପାରମ୍ପରିକ ଔଷଧ ପ୍ରସ୍ତୁତ ହୁଏ।