(ମମତା ସାମଲ)ରିପୋର୍ଟସଟୁଡେ: ଭୁବନେଶ୍ୱର, ଗଞ୍ଜାମ ଓ କୁଜଙ୍ଗ ପରେ ଏବେ କେନ୍ଦ୍ରାପଡ଼ା ପୋଲିସ ଆକସନ୍ ମୁଡ଼ରେ ଆସିଛି । ଦୁର୍ଦ୍ଦାନ୍ତ ଅପରାଧୀ ସେକ୍ ମେହେତାବକୁ କେନ୍ଦ୍ରାପଡ଼ା ସଦର ଥାନା ପୋଲିସ ଏନକାଉଣ୍ଟର କରିଛି । ତାର ଦୁଇ ଗୋଡ଼ରେ ଗୁଳି ଲାଗିଛି । ତାକୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ଏହି ସମୟରେ ମେହେତାବର ସହଯୋଗୀ ଫେରାର ହୋଇଯାଇଥିବା ଜଣାପଡ଼ିଛି ।
ମେହେତାବ ଓ ତା’ର ସହଯୋଗୀ କେନ୍ଦ୍ରାପଡ଼ା ସହରକୁ ଆସୁଥିବା ଖବର ପାଇ ସଦର ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ଟିମ୍ ମିଳିତ ଭାବେ ଚଢ଼ଉ କରିଥିଲେ । ଗଣ୍ଡାଖିଆ ନିକଟରେ ଅପରାଧି ଓ ପୋଲିସ ମୁହାଁମୁହାଁ ହୋଇଥିଲେ । ମେହେତାବ ପ୍ରଥମେ ପୋଲିସ ଉପରକୁ ୪ ରାଉଣ୍ଡ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲେ । ପୋଲିସର ପାଲଟା ଗୁଳିରେ ମେହେତାବ ଆହତ ହୋଇପଡ଼ିଥିଲା । ମାତ୍ର ତାର ସହଯୋଗୀ ଫେରାର ହୋଇଯାଇଛି । ମେହେତାବଠାରୁ ଗୋଟିଏ ୯ ଏମ୍ଏମ୍ ପିସ୍ତଲ, ୯ ହଜାର ଟଙ୍କା, ଦୁଇଟି ମୋବାଇଲ ଫୋନ ଓ ଗୋଟିଏ ବାଇକ୍ ଜବତ କରାଯାଇଛି ।
ମେହେତାବ ବାବୁଲି ମହାରଣା ଗୁଳିକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସ କହିଛି । ଜିଲ୍ଲା ଭିତର ଓ ବାହାରେ ତା’ର ଅପରାଧର ସାମ୍ରାଜ୍ୟ ବଢ଼ିଛି । ତା’ ନାମରେ କେନ୍ଦ୍ରାପଡ଼ାରେ ବିଭିନ୍ନ ଥାନାରେ ପ୍ରାୟ ୮ ରୁ ଅଧିକ ଅପରାଧିକ ମାମଲା ରହିଥିବା ବେଳେ ଯାଜପୁର, ଜଗତସିଂହପୁର, ବାଲେଶ୍ୱର ଓ ଭଦ୍ରକରେ ପ୍ରାୟ ୩୦ରୁ ଅଧିକ ମାମଲା ରହିଛି ।