ନୂଆଦିଲ୍ଲୀ: ଏବେବି ମନରେ ରହିଛି ଠାକୁର ବିଶ୍ୱାସ । କାହାର ଦେହ ଖରାପ ହେଲେ ମେଡିକାଲ ବଦଳରେ ଧାଇଁ ଯାଉଛନ୍ତି ମନ୍ଦିରକୁ । କାରଣ କୁହାଯାଏ ଭକ୍ତିରେ ମିଳିଥାଏ ଶକ୍ତି । ଏହି ବିଶ୍ୱାସ କେତେବେଳେ ଅନ୍ଧ ବିଶ୍ୱାସ ରେ ପରିର୍ବତ୍ତନ ହୋଇଯାଏ । କାରଣ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୃନ୍ଦାବନର ପ୍ରଶିଦ୍ଧ ବାଙ୍କେ ବିହାରୀ ମନ୍ଦିର । ଆଉ ଯାହାର ଭିଡିଓ ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି । ଏଠାରେ ଲେକେ ଚରଣାମୃତ ଭାବି ଏସିରୁ ବାହାରୁଥିବା ପାଣି ପିଉଥିବାର ଦେଖିବାକୁ ମିଳୁଛି ।
ସୂଚନା ଅନୁଯାୟୀ, ମନ୍ଦିର କାନ୍ଥରେ ସଂଲଗ୍ନ ହାତୀ ମୁହଁ ମୂର୍ତ୍ତି ପାଟିରୁ ନିର୍ଗତ ଜଳ ସଂଗ୍ରହ କରିବାକୁ ଭକ୍ତଭାବେ ଅତ୍ୟନ୍ତ ଉତ୍ସାହର ସହ ଧାଡ଼ିରେ ଠଆ ହୋଇଥିବା ନଜର ଆସିଛନ୍ତି । ପ୍ରଭୁ ଶ୍ରୀକୃଷ୍ଣଙ୍କ ଚରଣରୁ ନିର୍ଗତ ଏହି ପବିତ୍ର ଜଳକୁ ଶ୍ରଦ୍ଧାଳୁ ଚରଣାମୃତ ବୋଲି ବିଶ୍ୱାସ କରୁଛନ୍ତି । ଭାଇରାଲ ଭିଡିଓରେ ହାତୀ ମୂର୍ତ୍ତି ତଳେ ଭକ୍ତମାନେ କପ୍ ଧରି ରୁଣ୍ଡ ହୋଇଥିବା ନଜର ଆସିଛନ୍ତି । କିଛି ଭକ୍ତ ବୁନ୍ଦାଏ ଚରଣାମୃତ ପାଇବାକୁ ମୂର୍ତ୍ତି ତଳେ ହାତ ଦେଖାଇ ଠିଆ ହୋଇଛନ୍ତି । ପ୍ରକୃତ କଥା କିନ୍ତୁ ଭିନ୍ନ । ଶ୍ରୀକୃଷ୍ଣଙ୍କ ଚରଣାମୃତ ଭାବି ଭକ୍ତିଭାବର ସହ ପାନ କରାଯାଉଥିବା ଏହି ଜଳ ଏସିରୁ ନିର୍ଗତ ହେଉଛି । ଜଣେ ମନ୍ଦିର ପରିଦର୍ଶକ ଭିଡିଓଟି ରେକର୍ଡ କରିଛନ୍ତି ।
ଏଥିରେ ସେ ଭକ୍ତଙ୍କୁ କହୁଛନ୍ତି ‘ଏହା ଏସିର ପାଣି । ଠାକୁରଙ୍କ ଚରଣାମୃତ ନୁହେଁ । ମନ୍ଦିର ପୂଜାରୀମାନେ ଏ କଥା ସ୍ପଷ୍ଟ କରିଛନ୍ତି ।’ ତେବେ ତାଙ୍କ କଥାକୁ ଅଣଦେଖା କରି ଭକ୍ତମାନେ ଏହି ଜଳକୁ ସଂଗ୍ରହ କରି ପାନ କରିବାରେ ଓ ଶରୀରରେ ସିଞ୍ଚନ କରିବାରେ ବ୍ୟସ୍ତ ରହିଲେ । ଏକ୍ସ ପ୍ଲାଟ୍ଫର୍ମରେ ଶେୟାର ହୋଇଥିବା ଏହି ଭିଡିଓର କ୍ୟାପ୍ସନରେ ଉଲ୍ଲେଖ ହୋଇଛି ‘ଗମ୍ଭୀର ଶିକ୍ଷାର ଆବଶ୍ୟକତା ରହିଛି । ଲୋକେ ଏସିରୁ ନିର୍ଗତ ପାଣିକୁ ଠାକୁରଙ୍କ ଚରଣାମୃତ ଭାବି ପିଉଛନ୍ତି!’ ଭକ୍ତଙ୍କ ଏଭଳି କାର୍ଯ୍ୟକୁ ନେଇ ଇଣ୍ଟର୍ନେଟ୍ରେ ଚର୍ଚ୍ଚା ଆରମ୍ଭ ହୋଇଛି ।