ଜଗତସିଂହପୁର/ଦିଲ୍ଲିପ ସାହୁ: ଘଣ୍ଟା ଘଣ୍ଟା ଧରି ନିଶାସକ୍ତ ଯୁବକ ଆତଙ୍କରାଜ ଚଳାଇଲା।ଘରେ ଘରେ ପଶି ଝିଅ ବୋହୁଙ୍କୁ ଅଭାଷା କୁଭାଷା କହି ଟଣା ଘୋଷରା କଲା। ରାଜ ରାସ୍ତାରେ ଯାତ୍ରୀବାହୀ ବସ ଅଟକାଇ ଜୁଲମ କଲା।ସହି ପାରିଲେନି ଲୋକେ।ନିଶାସକ୍ତ ଯୁବକକୁ କାବୁ କରି ହାତଗୋଡ ବାନ୍ଧି ପକାଇଲେ।ତଥାପି ନିଶାସକ୍ତ ଯୁବକ ପାଟିରୁ ଅଭାଷା-କୁଭାଷା ବନ୍ଦ ହେଲାନି।ଗାଁ ଲୋକଙ୍କ ପକ୍ଷରୁ ଥାନା ଅଧିକାରୀଙ୍କୁ ଫୋନ କରାଗଲା ଫୋନ କରିବାର କିଛି ସମୟ ପରେ ୧୧୨ର ପିସିଆର ଟିମ ପହଞ୍ଚି ନିଶାସକ୍ତ ଯୁବକ ଜଣଙ୍କୁ ଘଟଣାସ୍ଥଳରୁ ଗିରଫ କରି ନେଇଥିବା ଦେଖିବାକୁ ମିଳିଛି।ଏ ଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଇବ୍ରିସିଂ ଗ୍ରାମପଞ୍ଚାୟତ ବଡିଲୋ ଗ୍ରାମରେ।ବଡିଲୋ ଗାଁ ମଝି ଦେଇ ଯାଇଥିବା ମଣିଜଙ୍ଗା-ଏରସମା ରାସ୍ତାରେ ଯୁବକ ଜଣଙ୍କ ଯାତ୍ରୀବାହୀ ବସ ଅଟକାଇ ମହିଳା ବସଯାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିଲା ଏବଂ ଗାଁରେ ତିନି ଘଣ୍ଟା ଧରି ଆତଙ୍କ ଚଳାଇଥିଲା।ଘରେ ପଶି ମହିଳା ମାନଙ୍କୁ ଖରାପ ବ୍ୟବହାର କରିବା ସହ କେତେକ ଲୋକଙ୍କୁ ଆକ୍ରମଣ କରିବା ପରେ ତାକୁ କାବୁ କରି ଲୋକେ ବାନ୍ଧି ପକାଇଥିଲେ।ଜଗତସିଂହପୁର ଜିଲ୍ଲାରେ ୧୧୨ ପୋଲିସ ସେବା ସକ୍ରିୟ ଥାଇ ନିଶାସକ୍ତ ଯୁବକକୁ ପୋଲିସ ଧରିନେବା ଯୋଗୁଁ ଗ୍ରାମବାସୀ ଆଶ୍ୱସ୍ତ ହୋଇଛନ୍ତି।ଜିଲ୍ଲାରେ ୧୧୨ପୋଲିସ ସେବାର ତତ୍ପରତା ଅସାମାଜିକଙ୍କ ପାଇଁ ଚେତାବନୀ ହୋଇଛି।