କାଲିଠୁ ରାଜ୍ୟରେ ଆରମ୍ଭ ହେବ କରୋନା ଟିକାକରଣର ଡ୍ରାଏ ରନ

0

(ଭୁବନେଶ୍ୱର): କାଲିଠୁ ରାଜ୍ୟରେ କରୋନା ଟିକାର ଡ୍ରାଏ ରନ ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି । ଏଥିପାଇଁ ରେଜିଷ୍ଟ୍ରେସନ ଲିଙ୍କ ଆସିବ । ତା ପରେ ସବୁ ଜିଲ୍ଲାରେ ଡ୍ରାଏ ରନ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି । ଟିକାକରଣ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି । ସମସ୍ତ ସ୍ୱେଚ୍ଛାସେବୀଙ୍କ ନାଁ ୱେବସାଇଟରେ ଅପଲୋଡ କରାଯାଇଛି । ଡ୍ରାଏ ରନ ନେଇ ଗତକାଲି କେନ୍ଦ୍ର ସରକାରଙ୍କ ସହ ଆଲୋଚନା ସରିଛି । ପ୍ରତ୍ୟେକ ଜିଲ୍ଲା ଚିକିତ୍ସାଳୟରେ ଡ୍ରାଏ ରନ କରିବାକୁ ରାଜ୍ୟ ସରକାର କହିଥିଲେ । ସ୍ୱେଚ୍ଛାସେବୀଙ୍କ ଆଧାର ନମ୍ବର ଦେଖି ଡ୍ରାଏ ରନ କରାଯିବ ବୋଲି ପ୍ରଦୀପ୍ତ କହିଛନ୍ତି ।
ଅନ୍ୟପଟେ, ଡ୍ରାଏ ରନ ସୁପରିଚାଳନା ପାଇଁ ପ୍ରସ୍ତୁତି ସରିଥିବା ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି କହିଛନ୍ତି । ପ୍ରଥମେ କରୋନା ଯୋଦ୍ଧାଙ୍କୁ ଟିକାକରଣ କରାଯିବ । ଟିକାକରଣ ପାଇଁ ୩ ଲକ୍ଷ ୭୦ ହଜାର ସ୍ୱାସ୍ଥ୍ୟକର୍ମୀ ପଞ୍ଜୀକୃତ ହୋଇଛନ୍ତି । ୧୦ ଦିନ ଧରି ତାଲିମ ପ୍ରକ୍ରିୟା ଚାଲିବ । ଏହାର ୧୦ ଦିନ ପରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି ।
ସୁଚନାଯୋଗ୍ୟ, ଜାନୁଆରୀ ୨ରୁ କୋଭିଡ ଟିକାର ଡ୍ରାଏ ରନ ଆରମ୍ଭ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ୩୦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହା କାର୍ଯ୍ୟକାରୀ ହେବ । ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ୨୫ ଜଣ ସ୍ୱାସ୍ଥ୍ୟକର୍ମୀ ସାମିଲ କରାଯିବ । ସବୁ ଟିକାକରଣ କେନ୍ଦ୍ରରେ ଜଣେ ଭ୍ୟାକ୍ସିନେଟରଙ୍କୁ ମିଶାଇ ୫ ଜଣିଆ ଟିମ ଉପସ୍ଥିତ ରହିବେ । ଡ୍ରାଏ ରନ ସମୟରେ କୋଭିଡ-୧୯ର ସମସ୍ତ ନିୟମ ପାଳନ କରାଯିବ ।