ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି

0

ଭୁବନେଶ୍ୱର: ଆନ୍ଧ୍ର ଉପକୂଳରେ ଅତିକ୍ରମ ପରେ ବତ୍ୟା ‘ମିଗଜାମ’ର ଏବେ ବଳ କମିବାରେ ଲାଗିଛି । ବାତ୍ୟାର ଯେଉଁ ଗତିପଥ ଆକଳନ କରାଯାଉଥିଲା ତା’ ଠାରୁ ଭିନ୍ନ ରହିଥିଲା ତାର ଗତିପଥ । ଆନ୍ଧ୍ର ଉପକୂଳରେ ବାତ୍ୟା ଆଗକୁ ନ ବଢି ଆଭ୍ୟନ୍ତରୀଣ ଅଞ୍ଚଳକୁ ପ୍ରବେଶ କରିଛି । ଯାହା ଫଳରେ ଦକ୍ଷିଣ ଓଡିଶାରେ ଜାରି ରହିଛି ବର୍ଷା । ଆଜି ବର୍ଷା ନେଇ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ, ରାୟଗଡା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେବେ କିଛି ସ୍ଥାନରେ ୧୧୫ରୁ ୨୦୪ ମିଲିମିଟର ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି । ଆସନ୍ତା ୭ ତାରିଖରୁ ବର୍ଷାର ପରିମାଣ କମିବା ସହ ୯ ତରିଖରୁ ପାଗ ଶୁଖିଲା ରହିବ ବୋଲି ଅନୁମାନ କରାଯାଉଛି । ତେବେ ବାତ୍ୟା ପ୍ରଭାବରେ ଅଶାନ୍ତ ରହିଛି ସମୁଦ୍ର । ରାଜ୍ୟ ସମସ୍ତ ବନ୍ଦର ଗୁଡିକୁ ୨ନଂ ବିପଦ ସଙ୍କେତ ଜାରି ହୋଇଛି । ଏନେଇ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ସେ ନେଇ ଆଲର୍ଟରେ ଅଛନ୍ତି ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ ।