ଦେଇଥିବା ପ୍ରତିଶ୍ରୁତି , ସ୍ମୃତି ହୋଇ ରହିଗଲା : ଦୂତି

0

ଭୁବନେଶ୍ବର: ଦେଶରେ ଓଡିଶା କ୍ରୀଡ଼ା ମହଲରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଛି । କେବଳ ଦେଶ ନୁହଁ ବରଂ ପୁରା ବିଶ୍ୱରେ ଓଡ଼ିଶା ନିଜର ବିଶ୍ବସ୍ତରୀୟ ଭିତ୍ତିଭୂମି ନିର୍ମାଣ କରିଚାଲିଛି  । ସେ ଦୌଡ ପ୍ରତିଯୋଗିତା ହେଉ କି ହକି ବିଶ୍ବକପ୍ ସହ ଅଗଣିତ ବଡ଼ ବଡ଼ ପ୍ରତିଯୋଗିତାର ସଫଳ ଆୟୋଜକ ପାଲଟି ବିଶ୍ୱ କ୍ରୀଡ଼ା ମାନଚ୍ଚିତ୍ରରେ ଓଡ଼ିଶାକୁ ସ୍ଥାପିତ କରିପାରିଛନ୍ତି । ଓଡିଶା ସରକାରଙ୍କୁ ଓଡ଼ିଆ ଖେଳାଳି ପ୍ରଶଂସା ସାଉଣ୍ଟି ସାରିଲେଣି । ହେଲେ ଏଯାଏ ମିଳିପାରିନି ସରକାର ପ୍ରତିଶୃତି ଦେଇଥିବା ରାଜଧାନୀରେ ଜମିଟିଏ । ଅନେକ କ୍ରୀଡ଼ାବିତ୍ ଏହି ଅଣଦେଖାକୁ ମୁଣ୍ଡପାତି ସହି ନେଇଥିଲେ ମଧ୍ୟ ଦୌଡ଼ରାଣୀ ଦୂତି ଚାନ୍ଦ ରବିବାର ଏଥିନେଇ ମୁହଁ ଖୋଲିଛନ୍ତି।

ଦୂତି ନିଜ ଫେସବୁକ୍  ପେଜରେ କ୍ରୀଡ଼ାବିଭାଗ ତରଫରୁ ରାଜ୍ୟର କିଛି ବଛାବଛା ଖେଳାଳିଙ୍କୁ ଜମି ଯୋଗାଇ ଦେବାର ସୁପା‌ରିସ ପତ୍ରକୁ ପ୍ରକାଶ କରି ରାଜ୍ୟ ସରକାରଙ୍କୁ ସେହି ପ୍ରତିଶ୍ରୁତି ମନେ ପକାଇଦେଇଛନ୍ତି। ରାଜ୍ୟପାଇଁ ଗର୍ବ ଓ ଗୌରବ ଆଣିଥିବା ହେପ୍ଟାଥଲନ ତାରକା ପୂର୍ଣ୍ଣିମା ହେମ୍ବ୍ରମ୍, ଦୂତି ଚାନ୍ଦ, ଜଉନା ମୁର୍ମୁ, ଅମିୟ ମଲ୍ଲିକ ଏବଂ ଶ୍ରାବଣୀ ନନ୍ଦଙ୍କୁ ସେମାନଙ୍କ ସଫଳତା ଏବଂ ପ୍ରଦର୍ଶନ ଆଧାରରେ ରାଜଧାନୀ ଭୁବନେଶ୍ବରରେ ଘର କିମ୍ବା ବାସପୋଯୋଗୀ ଜମି ଯୋଗାଇ ଦେବାକୁ ପତ୍ରସଂଖ୍ୟା ୪୫୯୬ରେ ଶ୍ରୀ ସାହୁ ସୁପାରିସ କରିଛନ୍ତି। ହେଲେ ଏହି ସୁପାରିସ ପତ୍ର ଅନୁଯାୟୀ ସାଧାରଣ ପ୍ରଶାସନ ବିଭାଗ ଏପର୍ଯ୍ୟନ୍ତ ବି କୌଣସି ପଦକ୍ଷେପ ନେଇ ନଥିବା‌ ଦୂତି ପରୋକ୍ଷରେ ଅଭିଯୋଗ କରିଛନ୍ତି। ଦୂତି କରିଥିବା ଏହି ସ୍ବର ଉତ୍ତୋଳନକୁ ରାଜ୍ୟର ଅନ୍ୟତମ ଦୌଡ଼କୁଦ ତାରକା ଜଉନା ମୁର୍ମୁ ମଧ୍ୟ ସମର୍ଥନ କରିଛନ୍ତି। ଦୂତି ଲେଖିଛନ୍ତି ଯେ ଦେଇଥିବା ପ୍ରତିଶ୍ରୁତି ସବୁ ସ୍ମୃତି ହୋଇ ରହିଗଲା। ନିଜ ଫେସବୁକ୍ ଷ୍ଟାଟସ୍‌ରେ ଏହି ସୁପାରିସ ପତ୍ରକୁ ସେୟାର କରି ସରକାରଙ୍କ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ରହିଗଲା ବୋଲି କଟାକ୍ଷ କରିଛନ୍ତି ଦୁତି । ଯାହା ଆଲୋଚନାର ବିଷୟ ପାଲଟିଛି ।