ଅଙ୍ଗନବାଡ଼ିରେ ଅଣ୍ଡା ମୂଲ୍ୟ ବୃଦ୍ଧି। ଶିଶୁମାନଙ୍କ ପୋଷଣକୁ ଦୃଷ୍ଟିରେ ରଖି ଅଙ୍ଗନବାଡି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡାର ମୂଲ୍ୟ ୫ଟଙ୍କା ରୁ ୭ ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିପାଇଁ ସରକାର ବର୍ଷକୁ ଅତିରିକ୍ତ ୧୭୫ କୋଟି ୧୪ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ । ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିଷ୍ପତ୍ତିକୁ କୃତଜ୍ଞତା ଜଣାଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ବଜାରରେ ଅଣ୍ଡା ଦର ବୃଦ୍ଧି ପାଇଁ ଅଙ୍ଗନଓ୍ବାାଡ଼ି କର୍ମୀ ପିଲାଙ୍କୁ ପୁଷ୍ଟିସାର ଖାଦ୍ୟ ଅଣ୍ଡା ଦେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ବଜାରରେ ଅଣ୍ଡା ଗୋଟେର ଦାମ୍ ୮ ଟଙ୍କା ଥିବାବେଳେ ସରକାର ଦେଉଥିଲେ ୫ଟଙ୍କା । ଏହି କାରଣରୁ ଅଙ୍ଗନଓ୍ବାଡ଼ି ପିଲାଙ୍କୁ ମାସକୁ ୨୦ ବଦଳରେ ମାତ୍ର ୧୫ଟି ଅଣ୍ଡା ମିଳୁଥିଲା। ଗର୍ଭବତୀ ଓ ପ୍ରସୂତୀଙ୍କୁ ମାସିକ ୧୨ଟି ଅଣ୍ଡା ଦେବା କଥା, ମାତ୍ର ଅଙ୍ଗନଓ୍ବାଡ଼ି ଦିଦି କେଉଁଠି ୮ଟା ଆଉ କେଉଁଠି ୯ଟି ଦେଉଥିବା ଅଭିଯୋଗ ହୋଇଥିଲା ।
୨୦୧୮ ପରଠୁ ଆଉ ପିଲାଙ୍କ ପାଇଁ ଡାଏଟ ଚାର୍ଟରେ ସରକାର ସଂଶୋଧନ ହୋଇ ନ ଥିଲା। ସରକାର ଦେଉଥିବା ଅର୍ଥରେ ଆବଶ୍ୟକ ଅଣ୍ଡା ଦେବା ସମ୍ଭବ ହେଉନି ବୋଲି କର୍ମୀ ଅଭିଯୋଗ କରିଥିଲେ। କେବେକେବେ ନିଜ ହାତରୁ ବି ଟଙ୍କା ଦେବାକୁ ପଡ଼ୁଥିଲା । ତେଣୁ ଅଣ୍ଡାର ମୂଲ୍ୟ ବୃଦ୍ଧି ଲାଗି ଦୀର୍ଘ ଦିନ ହେଲା ଦାବି ହୋଇଆସୁଥିଲା ।